
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧ସ୍ଥିତ ଡିଭାଇନ ଲାଇଫର ମିଳିତ ଆନୁକୂଲ୍ୟରେ ଗ୍ରାମପଥର କବି ବିନୋଦଚନ୍ଦ୍ର ନାୟକଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପ ସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କବିଙ୍କ ଜୀବନୀ ଓ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଆଧୁନିକ ଓଡିଆ ସାହିତ୍ୟର ଜଣେ ସଫଳ ସ୍ରଷ୍ଟା ହେଉଛନ୍ତି କବି ବିନୋଦଚନ୍ଦ୍ର ନାୟକ । ସବୁଜଯୁଗ ପରବର୍ତ୍ତୀ ପ୍ରଗତିବାଦୀ ସାହିତ୍ୟିକଙ୍କ ମଧ୍ୟରେ ତାଙ୍କ ସ୍ଥାନ ସ୍ୱତନ୍ତ୍ର । ସୌନ୍ଦର୍ଯ୍ୟାନୁଭୂତି ଓ ରୂପପିପାସା ତାଙ୍କ କବିତାର ପ୍ରାଣ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେ ଯେ, ସୁନ୍ଦର ଭାଷାଶୈଳୀ ଓ ସଂଯୋଜନାରେ କବିଙ୍କ ସୃଷ୍ଟି ସମୁହ ବିମଣ୍ଡିତ । ସେ କାଳଜୟୀ ସାହିତ୍ୟ ସୃଷ୍ଟି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ସୃଷ୍ଟି ମଧ୍ୟରେ ରହିଛି ନୀଳଚନ୍ଦ୍ରର ଉପତ୍ୟକା, ନନ୍ଦାଦେବୀ, ସରୀସୃପ, ଇଳାବୃତ୍ତ, ସାତ ତାରାର ଦୀପ, ରାଜକୀୟ,
ନିଃସଂଗତା ପ୍ରଭୃତିରେ ତାଙ୍କ କବିତ୍ୱର ସ୍ୱାକ୍ଷର ଛାଡିଯାଇଛନ୍ତି । ତାଙ୍କ କବିତାରେ ଅପୂର୍ବ କଳ୍ପନା ବିଳାସ, ଛନ୍ଦ ପ୍ରୟୋଗ ଓ ଚମତ୍କାର ବର୍ଣ୍ଣନା ଶୈଳୀର ଚିତ୍ର ପରିପ୍ରକାଶ ଲାଭ କରିଛି କବିଙ୍କ କବିତା ଗୁଡିକରେ । ସଭାପତି ଶ୍ରୀମତୀ ସାମଲ କବିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରୀ ଶୁଭଲକ୍ଷ୍ମୀ ଦାସ, ନିହାରିକା ମିଶ୍ର, ରଶ୍ମିତା ମଣ୍ଡଳ, ଅଞ୍ଜଳି ଗୌଡ ପ୍ରମୁଖ କବିଙ୍କ କବିତା ପାଠ କରିଥିଲେ । ସେହିପରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।