ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ଭାଷା ବିକାଶ ମଞ୍ଚ ଓ ଡିଭାଇନ ଲାଇଫ୍ ଏକାଡେମୀ, ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗଦ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଜୟନ୍ତୀ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁସ୍ମିତା ଭୂମିଜ ପ୍ରାଥମିକ ସୂଚନା ଦେଇ କହିଲେ ଓଡିଆ ସାହିତ୍ୟ ଯୁଗ ସ୍ରଷ୍ଟା ରାଧାନାଥ ରାୟ ହେଉଛନ୍ତି ଓଡ଼ିଆ ଭାଷା ସୁରକ୍ଷାର ସେନାପତି । ତାଙ୍କର କାବ୍ୟଗୁଡ଼ିକରେ ସୁନ୍ଦର ଚିତ୍ରପ୍ରତିମା ଫୁଟି ଉଠଛି । ତାଙ୍କର କାବ୍ୟ କେଦାରଗୌରୀ, ନାସିକେଶ୍ଵରୀ ପାର୍ବତୀ, ଚିଲିକା, ମହାଯାତ୍ରା କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ଓଡ଼ିଆ ଭାଷା ବିକାଶ ମଞ୍ଚ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର କବିଙ୍କର ଜୀବନ ଦର୍ଶନ ଆଲୋଚନା କରି କହିଲେ, ଓଡ଼ିଆ ସାହିତ୍ୟ ଆକାଶରେ ଅନ୍ଧକାର ଘୋଟିଥିଲା ବେଳେ ନୂତନ ଆଲୋକ ଦେଖାଇଥିଲେ । ଭାଷାକୁ ବଞ୍ଚାଇବା ପାଇଁ ଦୁର୍ବାର ସଂଗ୍ରାମ କରିଥିଲେ । ତାଙ୍କର ଜୀବନବ୍ୟାପୀ ସାହିତ୍ୟ ସାଧାନା ଏ ଜାତିକୁ ଶହ ଶହ ବର୍ଷ ଧରି ପ୍ରାଣବନ୍ତ କରି ରଖିଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ଜୟନ୍ତୀ ସଭାରେ ବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧା ରାଣୀସାହୁ, ଦମୟନ୍ତୀ ପାତ୍ର ରାଧାନାଥ ରାୟଙ୍କ ଉପରେ ନିବନ୍ଧ ପାଠ କରିଥିଲାବେଳେ ବିଦ୍ୟାଳୟର ଯୁବ ଶିକ୍ଷକ ଚନ୍ଦନ କୁମାର ସାହୁ ଅନ୍ୟବାଦ ଦେଇ କହିଲେ ବିଦ୍ୟାଳୟମାନଙ୍କରେ ଓଡ଼ିଶାର ବରପୁତ୍ରମାନଙ୍କର ଜୟନ୍ତୀ ଓ ତିରୋଧାନ ଦିବସ ପାଳନ କରି ଓଡ଼ିଆ ଭାଷା ବିକାଶ ମଞ୍ଚ ଓଡିଶାର ଇତିହାସ, ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରୁଛି । ଏହି ଜୟନ୍ତୀ ସଭାକୁ ଶିକ୍ଷୟତ୍ରୀ, ଅନୁଷା, ଜୟପୁରୀଆ, ବାବାଜୀ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Prev Post