ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ତଥା ଆଖପାଖ ଅଂଚଳର ବିଭିନ୍ନ ସ୍ଥାନରେ ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଆନନ୍ଦ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ହନୁମାନ ଜୟନ୍ତୀ ଉତ୍ସବରେ ସାମିଲ ହେବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଖପ୍ରାଖୋଲ ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ଅବସରରେ ସାଧାରଣ ଜନତାଙ୍କୁ ପଣା ବଂଟନ କରାଯାଇଥିଲା । ଏହି ଅବସରରେ ବାଲଗୋପାଳ ଦାଶ, ଅଭୟ ତ୍ରିପାଠୀ ଏବଂ ବୁଲୁ ପଣ୍ଡାଙ୍କ ନେତୃତ୍ୱରେ ଏକ ବିରାଟ ବାଇକ ଶୋଭାଯାତ୍ରା ଖପ୍ରାଖୋଲରୁ ବାହାରି ହରିଶଙ୍କରକୁ ଯାଇଥିଲା । ଭାରତ ମାତା କି ଜୟ, ପ୍ରଭୁ ଶ୍ରୀ ରାମଚନ୍ଦ୍ର କି ଜୟ, ପବନ ସୁତ ହନୁମାନ କି ଜୟ ସ୍ଲୋଗାନ ଦେଇ ଶୋଭାଯାତ୍ରାକାରୀମାନେ ଅଂଚଳ ପରିକ୍ରମା କରିଥିଲେ । ସେହିପରି ନିକଟସ୍ଥ ବାଙ୍କିବାହାଲ ଗ୍ରାମରେ ଥିବା ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମନ୍ଦିରରେ ଦର୍ଶନ ପାଇଁ ଆଖପାଖ ଅଂଚଳର ଶ୍ରଦ୍ଧାଳୁମାନଙ୍କର ଭିଡ ଲାଗି ରହିଥିଲା । ବାଙ୍କିବାହାଲ ଗ୍ରାମ ବଜରଙ୍ଗ ଦଳ ପକ୍ଷରୁ ପଣା ବଂଟନ କରାଯାଇଥିଲା । ଏହି ଅବସରରେ ଗ୍ରାମର ଶତାଧିକ ଯୁବକ ଗେରୁଆ ପୋଷାକରେ ସଜ୍ଜିତ ହୋଇ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ବାଙ୍କିବାହାଲ ହନୁମାନ୍ଦ ମନ୍ଦିର ନିକଟରୁ ବାହାରି ମାଟିଖାଇ, ଦେଦର୍ହ, ଯୋଗିମୁଣ୍ଡା ଅଂଚଳ ପରିକ୍ରମା କରିଥିଲା । ଚାଣକ୍ୟ ସାହୁ, ସୁଦିପ୍ତ ରଞ୍ଜନ ସୁଆର, ଦେବାନନ୍ଦ ବାଗ, ବିରଞ୍ଚି ବରିହା, ସୁଶିଲ ସାହୁ ପ୍ରମୁଖ କମିଟି ସଦସ୍ୟ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ସେହିପରି ଏହି ବ୍ଲକ ଅନ୍ତର୍ଗତ ତେଲେନପାଲି ଠାରେ ନୂନତ ଭାବେ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଗୁରୁବାର ଗ୍ରାମରେ କଳସ ଯାତ୍ରା ଅନୁଷ୍ଠିତ ହେବା ସହିତ ଅଷ୍ଟପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୁଗିନ୍ଦ୍ର ସାହୁ ସପତ୍ନୀକ କର୍ତ୍ତା ଭାବେ ଯୋଗ ଦେଇଥିବା ବେଳେ ବିଷ୍ଣ ହୋତା ପୂଜାକାର୍ଯ୍ୟ ନିର୍ବାହ କରୁଛନ୍ତି । ସେହିପରି ରେଙ୍ଗାଲି ପଂଚାୟତର ନାଗଡେରା ଏବଂ ଟଙ୍କପାଣି ପଂଚାୟତର ପତ୍ରାପାଲି ଠାରେ ହନୁମାନ ଜୟନ୍ତୀ ପାଳନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଖପ୍ରାଖୋଲ ବ୍ଲକ ଉପାଧ୍ୟକ୍ଷ ସୁଖିରାମ ଷାଣ୍ଢ, ବିଧାୟକ ପ୍ରତିନିଧି ରମେଶ ପଧାନ, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଇନ୍ଦ୍ରମଣି ସାହୁ, ପ୍ରଶାନ୍ତ ବେହେରା ପ୍ରମୁଖ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ ।
Next Post