ପୋଲିସ ହାଇସ୍କୁଲରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

  • ଛାତ୍ରଛାତ୍ରୀ ପରିଶ୍ରମି ଓ ସ୍ୱାଧିନଚେତା ହେଲେ ଦେଶ ଆଗେଇବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ପୋଲିସ ହାଇସ୍କୁଲଠାରେ ଆଜି ଦୁଇ ଓଡିଆ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ବିରାଟକେଶରୀ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ରଘୁନନ୍ଦନ ସିଂ ଓ ମୁଖ୍ୟବକ୍ତା ଭାବରେ କୁରୁଲ ହାଇସ୍କୁଲର ଶିକ୍ଷକ ତଥା ପ୍ରକୃତିବନ୍ଧୁ ଦିଗାମ୍ବର ନାଏକ ଯୋଗଦେଇଥିଲେ । ଅତିଥିଗଣ ସ୍ୱାଧିନତା ଆନ୍ଦୋଳନର ବୀର ସଂଗ୍ରାମୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉଭୟଙ୍କ ସ୍ୱାଧିନତା ସଂଗ୍ରାମରେ ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ । ବୀର ସୁରେନ୍ଦ୍ର ସାଏ ଖିଣ୍ଡାମାଟିରୁ ପ୍ରଥମ ସ୍ୱାଧିନତା ଆନ୍ଦୋଳନ କରିଥିବା ବେଳେ ତାଙ୍କର ଦୁର୍ଦ୍ଦର୍ଶ ଗରିଲା ଯୁଦ୍ଧଆଗରେ ବ୍ରୀଟିସ ସୈନିକ ହାର ମାନୁଥିଲେ । ବ୍ରିଟିସମାନେ ଛଳନା କରି ତାଙ୍କୁ ଗିରଫ କରି ଜୀବନର ଅଧା ସମୟ ଜେଲ ଦଣ୍ଡ ଦେଇଥିଲେ । ସେହିପରି ନେତାଜୀ ସୁଭାଷ ବୋଷ କେବଳ ଭାରତୀୟ ମୁକ୍ତି ସଂଗ୍ରାମ ନୁହେଁ ସବୁ ସ୍ଥାନରେ ଗୁଲାମିକୁ ପ୍ରତିବାଦ କରୁଥିଲେ । ସେ ଓଡିଆ ପୁଅ ଭାବରେ ଓଡିଶାରେ ପାଠପଢି ପରେ କଲିକତା ଓ ତା’ପରେ ବ୍ରିଟେନ ଯାଇ ଆଇସିଏସ୍‌ ପରୀକ୍ଷା ଦେଇ ପାସ ହୋଇଥିଲେ । କିନ୍ତୁ ସ୍ୱାଧିନଚେତା ମଣିଷ ବ୍ରିଟିସ ସାମ୍ରାଜ୍ୟର ଗୁଲାମ ନହୋଇ ଚାକିରି କରିବାକୁ ବିରୋଧ କରି ଶେଷରେ ସ୍ୱାଧିନତା ଆନ୍ଦୋଳନରେ ଝାସ ଦେଇଥିଲେ । ବ୍ରିଟିସ ଆଖିରୁ ଖସିଯାଇ ଜର୍ମାନୀରେ ଆଜାଦ୍‌ହିନ୍ଦ ଫୌଜ ଗଠନ କରି ଭାରତର ମୁକ୍ତି ପାଇଁ ଯୁଦ୍ଧର ଡାକରା ଦେଇଥିଲେ । ଉଭୟ ସ୍ୱାଧିନତା ସଂଗ୍ରାମୀ ନିଜ ଅଞ୍ଚଳ ତଥା ଦେଶ ପାଇଁ ଅନେକ ପରିଶ୍ରମ କରି କଠୋର ଦଣ୍ଡ ଭୋଗିଥିଲେ । ହେଲେ ସ୍ୱାଧିନଚେତା ହୋଇଥିବାରୁ କାହାରି ବଶ୍ୟତା ସ୍ୱୀକାର କରିନଥିଲେ । ଆଜି ମଧ୍ୟ ସେଭଳି ଦେଶଭକ୍ତଙ୍କର ଆବଶ୍ୟକତା ରହିଛି । ସୁଭାଷଙ୍କ ଫୌଜରେ ଯୁବତୀମାନେ ପ୍ରମୁଖ ଭୂମିକା ନେଇଥିଲେ । ତେଣୁ ଛାତ୍ରଛାତ୍ରୀ ସଂକଳ୍ପ ନେଇ ପରିଶ୍ରମି ଓ ସ୍ୱାଧିନଚେତା ହେଲେ ଆମ ଦେଶ ଆଗେଇ ଯିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତିଛାତ୍ରୀ ସୌଦାମିନୀ ଦତ୍ତ ଓ ରୋଜାଲିନ ମହାକୁରଙ୍କୁ ମୋମେଣ୍ଟୋଦେଇ ପୁରସ୍କୃତ କରାଯାଇଥିଲା । ନବମ ଶ୍ରେଣୀର ଛାତ୍ରୀ ସୌଦାମିନୀ ଦତ୍ତ ଓ ଦଶମ ଶ୍ରେଣୀର ଛାତ୍ରୀ ରାଜେଶ୍ୱରୀ ମାଟକାମୀ ବୀର ସୁରେନ୍ଦ୍ର ଓ ନେତାଜୀଙ୍କ ସଂମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଶେଷରେ ସ୍କୁଲର ଶିକ୍ଷକ ସରୋଜ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର କର୍ମଚାରୀ କୃଷ୍ଣପ୍ରୀୟା ପଣ୍ଡା, ଚତୁର୍ଥ ଶ୍ରେଣୀ କର୍ମଚାରୀ ଶରତ ନାଗ, ସ୍କୁଲର ପୁରାତନ ଛାତ୍ର ସଂଘର ସଭାପତି ଗୋବିନ୍ଦ ବହିଦାର, ସଂପାଦକ ଜୟକୃଷ୍ଣ ରଣା ଓ ଚୈତନ୍ୟ ସା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.