ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ତ୍ୱ କରୁଥିବା ତାଙ୍କ ଗଞ୍ଜାମ ଜିଲ୍ଲା ଉପରେ ବିଭିନ୍ନ କ୍ଷେତ୍ରରେ ସର୍ବୋପରି ଫୋକସରେ ରହିଆସିଛି । ଜିଲ୍ଲା ସଦରମହକୁମା ଛତ୍ରପୁରଠାରେ ଚଳିତବର୍ଷ ଜିଲ୍ଲାସ୍ତରୀୟ ୧୫୩ତମ ପବିତ୍ର ଗାନ୍ଧୀ ଜୟନ୍ତୀ ସାମାରୋହ ଏକ ବର୍ଣ୍ଣାଢ୍ୟ ଏବଂ ନିଆରା ଢ଼ଙ୍ଗରେ ଭିନ୍ନତା ଭିତ୍ତିରେ ପାଳିତ ହୋଇ ଖୁବ ଉତ୍ସବ ମୁଖର ହୋଇ ଉଠିଥିବା ଜଣାଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରିଜର୍ଭ ପୋଲିସ୍ ପ୍ୟାରେଡ ପଡିଆ ସମ୍ମୁଖସ୍ଥ ଭିଆଇପି ରୋଡ଼ ପଥପ୍ରାନ୍ତରେ ନୂତନ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିର ଆନୁଷ୍ଠାନିକ ଉନ୍ମୋଚନ ଏବଂ ଶାସ୍ତ୍ରୀୟ ସଙ୍ଗୀତ ମୁର୍ଚ୍ଛନାର ତାଳରେ ବର୍ଣ୍ଣାଢ୍ୟ ସମାବେଶ ମଧ୍ୟରେ ଉତ୍ସବଟି ମୁଖରୀତ ହୋଇ ଉଠିଥିଲା । ଅନେକ ଦିନର ଆଶା ଆକାଂକ୍ଷାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବା ନେଇ ସହରବାସୀ ବେଶ ଖୁସି ମନାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରାତଃ ୫ ଘଣ୍ଟା ସମୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତେ ସଙ୍ଗୀତ ଧୂନରେ ସହର ପରିକ୍ରମା ହୋଇଥିଲା । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ସ୍ଥାପିତ ନବନିର୍ମିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସୁନ୍ଦର ପ୍ରତିମୂର୍ତ୍ତିର ଆନୁଷ୍ଠାନିକ ଭାବେ ବିଧିବଦ୍ଧ ମତେ ଉନ୍ମୋଚନ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ବିଧାୟକ ସୁବାସ ଚନ୍ଦ୍ର ବେହେରା, ନଗରପାଳିକା ଶର୍ମିଷ୍ଠା ପ୍ରଧାନ, ଉପନଗରପାଳ ଜି. ପାପା ରାଓ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା ପ୍ରମୁଖଙ୍କ ସମ୍ମିଳିତ କରକମଳରେ ଅନାବରଣ ସ୍ୱରୂପ ଉଦ୍ଘାଟନ କରାଯାଇଥିଲା । ଅତିଥିମାନଙ୍କ ଦ୍ୱରା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଏବଂ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଛତ୍ରପୁର କଳା ବିକାଶ କେନ୍ଦ୍ରର କଳାକାରମାନଙ୍କ ଦ୍ୱାରା ବୈଷ୍ଣବ ଜନତେ ସଙ୍ଗୀତ ପରିବେଷଣ ହୋଇଥିଲା । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ସାମାରୋହରେ ବିଶିଷ୍ଟ କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକଙ୍କ ଅଂଶଗ୍ରହଣ ଓ ତାଙ୍କ ନିର୍ଦ୍ଦେଶିତ ଏହି ସମୂହ କାର୍ଯ୍ୟକ୍ରମରେ ପ୍ରବୀଣ କଣ୍ଠ ଶିଳ୍ପୀଙ୍କ ଦ୍ଵାରା ଶାସ୍ତ୍ରୀୟ ସଙ୍ଗୀତ ମୁର୍ଚ୍ଛନା କାର୍ଯ୍ୟକ୍ରମ ପରିବେଷଣ ହୋଇ ଦର୍ଶକ ମହଲରେ ଉତ୍ସାହ ଜମିଥିଲା । ସର୍ବଧର୍ମ ପ୍ରାର୍ଥନାରେ କବିରାଜ ବଟକୃଷ୍ଣ ତ୍ରିପାଠୀଙ୍କ ଦ୍ୱାରା ହିନ୍ଦୁଧର୍ମର ପବିତ୍ର ଗ୍ରନ୍ଥ । ଶ୍ରୀମଦ୍ ଭାଗବତ ଗୀତା ପାଠ ହୋଇଥିବା ବେଳେ ଶେଖ୍ ମହମ୍ମଦ ସୟେଦ୍ଙ୍କ ପବିତ୍ର କୋରାନ୍ ଓ ଚନ୍ଦ୍ର ଶେଖର ମଲ୍ଲିକଙ୍କ ଦ୍ୱାରା ପବିତ୍ର ବାଇବେଲ ପାଠ କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଗାନ୍ଧିଜୀ ଥିଲେ ସର୍ବଧର୍ମ ସମନ୍ୱୟର ପ୍ରତୀକ ଏବଂ ସେ ସମସ୍ତ ଧର୍ମକୁ ଆପଣାଇଥିଲେ ବୋଲି ଶ୍ରୀ ବେହେରା ତାତ୍ତ୍ଵିକ ସୂଚନା ପ୍ରଦାନ କରିଥିଲେ । ସତ୍ୟ ଓ ଅହିଂସାର ଅସ୍ତ୍ରକୁ ପାଥେୟ କରି ଗାନ୍ଧିଜୀ ଦେଶକୁ ସ୍ୱାଧୀନତା ଆଣିଥିଲେ । ସମାଜକୁ ଦିଗ୍ଦର୍ଶନ ଦେବା ପାଇଁ ସତ୍ୟ ଓ ଅହିଂସାକୁ ଅସ୍ତ୍ର କରି ସମାଜକୁ ଆଗେଇ ନେବାକୁ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ତାଙ୍କ ଅଭିଭାଷଣରେ ଆହ୍ୱାନ କରିଥିଲେ । ଅହିଂସା ଓ ସ୍ୱଚ୍ଛତା ହେଉଛି ଦୁଇଟି ମାର୍ଗ । ଅହିଂସା ମାର୍ଗରେ ଗାନ୍ଧିଜୀ ସ୍ୱଧୀନତା ଆଣିଥିଲେ ଏବଂ ସ୍ୱଚ୍ଛତା ମାର୍ଗକୁ ଆପଣାଇଥିଲେ । ଏହାକୁ କାର୍ଯ୍ୟକାରୀ କରିପାରିଲେ ଆମେ ସୁସ୍ଥ ଓଡିଶା ଗଠନ କରିପାରିବା ବୋଲି ଉପ-ନଗରପାଳ ଜି. ପାପା ରାଓ କହିଥିଲେ । ଅହିଂସା ଓ ସତ୍ୟ ମାର୍ଗରେ ଗମନ କରିବା ସହ ସ୍ୱଚ୍ଛତା ଉପରେ ଦୃଷ୍ଟି ଦେବାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଆହ୍ୱାନ ଦେଇଥିଲେ । ଆନ୍ଦୋଳନ ଓ ହିଂସାକୁ ଛାଡି ଅହିଂସା ମାର୍ଗକୁ ଆପଣାଇବା ପାଇଁ ଶ୍ରୀମତୀ ପ୍ରଧାନ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣୀତ ହେବା ପାଇଁ ଆହ୍ୱାନ ଦେବା ସହ ଅହିଂସା ଏପରି ଏକ ଅସ୍ତ୍ର ତାହା ସମସ୍ତ ଅସ୍ତ୍ର ଠାରୁ ଶକ୍ତିଶାଳୀ ବୋଲି ଛତ୍ରପୁର ବିଧାୟକ ତାଙ୍କ ଅଭିଭାଷଣରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ଗାନ୍ଧିଜୀଙ୍କର ରାମରାଜ୍ୟ ଓ ଗ୍ରାମ ସ୍ୱରାଜ ଦୁଇଟି ସ୍ୱପ୍ନ ଥିଲା । ଏଣୁ ସୁନ୍ଦର ସମାଜ ଗଠନ ପାଇଁ ଅହିଂସା ମାର୍ଗକୁ ସମସ୍ତେ ଆପଣାଇବା ଉଚିତ୍ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ମତବ୍ୟକ୍ତ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଗାନ୍ଧିଜୀଙ୍କ ସରଳ ଜୀବନ ଯାପନ, ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ଉପରେ ଆଲୋକପାତ କରିଥିଲେ । ଗାନ୍ଧିଜୀ ବିଶ୍ୱକୁ ମାନବିକତାର ଧର୍ମ ଉପରେ ଶିକ୍ଷା ଦେଇଥିଲେ ଏବଂ ତାଙ୍କରି ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କଲେ ଦେଶର ପ୍ରଗତି ସୁନିଶ୍ଚିତ ହେବ ବୋଲି ଶ୍ରୀମତୀ ସ୍ୱାଇଁ କହିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅନୁମୋଦନ କ୍ରମେ ଗାନ୍ଧିଜୀଙ୍କ ସୁନ୍ଦର ପ୍ରତିମୂର୍ତ୍ତି ସ୍ଥାପିତ ହୋଇପାରିଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଥିଲେ । ଏଥିପାଇଁ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକଙ୍କ ଉଦ୍ୟମ ମଧ୍ୟ ପ୍ରଶଂସନୀୟ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାସ୍ତରୀୟ ଏହି ଗାନ୍ଧୀ ଜୟନ୍ତୀ ସାମାରୋହରେ ଛତ୍ରପୁରର ବହୁ ବୁଦ୍ଧିଜୀବୀ, ଜନପ୍ରତିନିଧି, ସମାଜସେବୀ, ସ୍ୱଚ୍ଛସାଥୀ, ମହିଳା ସ୍ୱୟଂ ସହାୟିକା ସଂଘର ମହିଳା ଗୋଷ୍ଠୀ, ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ ଗଣ ପ୍ରମୁଖ ଯୋଗ ଦେଇଥିଲେ ।