- ଚନ୍ଦ୍ର ଶେଖର ଥିଲେ ଓଡ଼ିଆ ସାହିତ୍ୟ ଜଗତର ଜଣେ ଅମ୍ଳାନ ପ୍ରତିଭା,
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ସାରସ୍ୱତ ଜଗତରେ ଚନ୍ଦ୍ରଶେଖର ରଥ ଥିଲେ ଜଣେ ବିରଳ ସାଧକ ଏବଂ ଶବ୍ଦ ସ୍ଥପତି । କେବଳ ଗାଳ୍ପିକ ନୁହନ୍ତି ସେ ଥିଲେ ଜଣେ ପ୍ରାବନ୍ଧିକ, କବି ଓ ଔପନ୍ୟାସିକ । ସେ ଥିଲେ ଜଣେ ବହୁଭାଷୀ ଲେଖକ – ସଂସ୍କୃତ, ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ସମ୍ବଲପୁରୀ ଆଦି ଭାଷା ଉପରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା । ତାଙ୍କର ପ୍ରଥମ ଉପନ୍ୟାସ ‘ଯନ୍ତ୍ରାରୁଢ଼’ ପାରମ୍ପରିକ ମୂଲ୍ୟବୋଧର ଏକ ହିମାଳୟ । ମାୟାଦ୍ୱାରା ଯନ୍ତ୍ରାରୁଢ ହୋଇ ଭଗବାନ ଅନେକ କାର୍ଯ୍ୟ କଲେ ମଧ୍ୟ ଭଗବାନ ସର୍ବାନ୍ତଃକରଣରେ ଦିବ୍ୟ ହିଁ ଅଟନ୍ତି ଏହାହିଁ ଯନ୍ତ୍ରାରୁଢର ଅନ୍ତର୍ନିହିତ ବାର୍ତ୍ତା । ଯନ୍ତ୍ରାରୁଢ଼ ପରେ ତାଙ୍କର ଅନେକ ଗଳ୍ପ, କବିତା, ଉପନ୍ୟାସ, ପ୍ରବନ୍ଧ, ଅନୁବାଦ ଆଦି ପ୍ରକାଶ ପାଇଛି । ଉଚ୍ଚକୋଟୀର ଲେଖା ପାଇଁ ସେ ବିଷୁବ ପୁରସ୍କାର ଠାରୁ ଆରମ୍ଭ କରି ଦୁଇ ଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାହିତ୍ୟ ଭାରତୀ ଏବଂ ୨୦୧୮ରେ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ । ଏପରି ଜଣେ ଅମ୍ଳାନ ପ୍ରତିଭାଧାରୀଙ୍କ ଜନ୍ମଦିନ ରାଉରକେଲାରେ ପ୍ରଥମ ଥର ପାଇଁ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏବଂ ଉପଦେଷ୍ଟା ଭାରତ ଭୂଷଣ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ରାଜୀବ ପାଣି ଯୋଗଦେଇ ସ୍ୱର୍ଗତ ରଥଙ୍କର ପ୍ରଥମ ତଥା ବହୁ ଚର୍ଚ୍ଚିତ ପୁସ୍ତକ ‘ଯନ୍ତ୍ରାରୁଢ଼’ ସହ ‘ଅସୂର୍ଯ୍ୟ ଉପନିବେଶ’ ଏବଂ ‘ନବଜାତକ’ ଉପନ୍ୟାସ ସମ୍ପର୍କରେ ବିଶଦ ଆଲୋଚନା କରି କହିଲେ ଯେ, ଚନ୍ଦ୍ର ଶେଖର ଥିଲେ ଓଡ଼ିଆ ସାହିତ୍ୟ ଜଗତର ଜଣେ ଅମ୍ଳାନ ପ୍ରତିଭା, ଏ ଜାତି ତାଙ୍କୁ ସବୁଦିନେ ପ୍ରଣତି ଜଣାଇବ। ପ୍ରଥମେ ଅତିଥି ମାନେ ଚନ୍ଦ୍ର ଶେଖରଙ୍କ ତୈଳ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସଂଘର ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପ୍ରଦାନ ପରେ ଅନ୍ୟତମ ଉପସଭାପତି ଡ. ପ୍ରଭାତ କୁମାର ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ଆଲୋକ କୁମାର କବି ଶତପଥୀ ଚନ୍ଦ୍ର ଶେଖରଙ୍କ ସମ୍ପର୍କରେ ନିଜର ଅନୁଭବ ବଖାଣି ଥିଲେ । ଆବାହକ ଭାରତ ଭୂଷଣ ମହାନ୍ତି ମଞ୍ଚ ପରିଚାଳନା ସହ ଚନ୍ଦ୍ର ଶେଖରଙ୍କ ସହ ତାଙ୍କର ବ୍ୟକ୍ତିଗତ ଅନ୍ତରଙ୍ଗ ତଥା ମାର୍ମିକ ଅନୁଭୂତି ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ, ସମ୍ପାଦକ ଘନଶ୍ୟାମ ଧଳ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ଇନ୍ଦ୍ରମଣି ମହାପାତ୍ର, ଧରଣୀଧର ସାମଲ, ଶୁଭ୍ରାଂଶୁ ଶେଖର ମହାପାତ୍ର, ବରୁଣ ନାହାକ, ପରୀକ୍ଷିତ ଗୁରୁ, ପ୍ରସନ୍ନ କୁମାର ମହାନ୍ତି, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ସହାୟତା କରିଥିବାବେଳେ ସହରର ବହୁ ସାହିତ୍ୟ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।