ତରଭା, (କେପିଏନ୍ଏସ୍) : ତରଭା ସ୍ଥାନୀୟ ପରିଷଦ ପାଠାଗାରଠାରେ ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଗୌରୀଶଙ୍କର ସାହୁଙ୍କ ସଭାପତିତ୍ୱରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସାହିତ୍ୟିକ ସଞ୍ଜୀବ ସେଠୀ ମୁଖ୍ୟ ଅତିଥି ଓ ହିରଣ୍ମୟ ପଟ୍ଟନାୟକ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ତାଙ୍କର କର୍ମକ୍ଷେତ୍ର ବରପାଲିରୁ ରାଜବୋଡାସମ୍ବର ପର୍ଯ୍ୟନ୍ତ ଅଞ୍ଚଳକୁ ସାରସ୍ୱତ ଗଙ୍ଗାଧର ତୀର୍ଥକ୍ଷେତ୍ର ରୂପେ ଘୋଷଣା କରିବା ପାଇଁ ମତବ୍ୟକ୍ତ କରିଥିଲେ । ଏପରିକି ତାଙ୍କର ବ୍ୟବହୃତ ଦୈନନ୍ଦିନ ଜୀବନଚର୍ଯ୍ୟା ସାମଗ୍ରୀ ଓ ସାରସ୍ୱତ କୃତିକୁ ନେଇ ଏକ ଗଙ୍ଗାଧର ସଂଗ୍ରହାଳୟ ପ୍ରତିଷ୍ଠା କରିବା ନିମନ୍ତେ ବକ୍ତାମାନେ ପ୍ରସ୍ତାବ ଆଗତ କରିଥିଲେ । ଯୁବକବି ଶୁଭମ୍ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଗଙ୍ଗାଧରୀୟ କବିତା ଆସରରେ ଡ଼. ଦେବେନ୍ଦ୍ର କୁମାର ନାଏକ, କବି ମହେଶ ମିଶ୍ର, ପ୍ରବୀଣ ପଣ୍ଡା, ଲୋକନାଥ ଦଳବେହେରା, ସୁଧୀର ପଣ୍ଡା, ଶଙ୍କର୍ଷଣ ସାହୁ ଓ ଚିରଞ୍ଜିବୀ ନାଏକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସଭା ଶେଷରେ ଏକାଡେମୀ ସମ୍ପାଦକ ରାଜେନ୍ଦ୍ର କୁମାର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।

Prev Post