ଛତ୍ରପୁରରେ ମା’ କୁଲାଡ଼ ବ୍ୟାଘ୍ର ଦେବୀଙ୍କ ଯାତ୍ରାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ଅନ୍ତେ-ନିବାସ କଲୋନୀରେ ଅବସ୍ଥାପିତ ମା’ କୁଲାଡ଼ ବ୍ୟାଘ୍ର ଦେବୀଙ୍କ ଯାତ୍ରାରମ୍ଭ ହୋଇଛି । ଚଳିତ ବର୍ଷ ଏହି ଯାତ୍ରା ନବଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ସମ୍ଭାରରେ ଅନୁଷ୍ଠିତ ହେଉଛି । ଏହି ଯାତ୍ରା ଛତ୍ରପୁର ସହରରେ ପ୍ରାୟତଃ ତିନି ପୁରୁଷ ଧରି ସମାହିତ ହୋଇଆସୁଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଯାତ୍ରା ଗଞ୍ଜାମ ପୋଲିସ୍ ସାଂସ୍କୃତିକ ଓ କଲ୍ୟାଣ ସଂଗଠନ ପକ୍ଷରୁ ଏବଂ ପୋଲିସ ପ୍ରଶାସନର ମିଳିତ ଆନୁକୁଲ୍ୟରେ ସମାହିତ ହୋଇଆସୁଛି । ଗତକାଲି ମଧ୍ୟ ରାତ୍ରୀ ୧୨ ଘଣ୍ଟା ସମୟରେ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପକୁ ଆଗମନ ହୋଇଛି । ଆଜି ଶୁଭ ମଙ୍ଗଳବାର ହେତୁ ଅଗଣିତ ଭକ୍ତମାନେ ଦେବୀଙ୍କୁ ଦର୍ଶନ କରି ବିଭୁକୃପା ଲାଭ କରିଛନ୍ତି । ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍ ଏବେ ଚଳଚଞ୍ଚଳ ହୋଇଉଠିଛି । ଗତ କାଲି ବିଳମ୍ବିତ ରାତ୍ରିରେ ମା’ ବ୍ୟାଘ୍ର ଦେବୀଙ୍କ ମନ୍ଦିରରେ ଭୋଗ ରାଗ, ଲିଆପଣା ଲାଗି ହୋଇଛି । ସ୍ଵତନ୍ତ୍ର ଆରତୀ ବନ୍ଦାପନା ସାଂଗକୁ ଯଥା ବିଧିରେ ପୂଜାର୍ଚ୍ଚନା ସରିବା ପରେ ମା’ଙ୍କ ମସ୍ତକରୁ ଫୁଲ ଖସିଥିଲା । ଭକ୍ତଗଣ ଏହା ଦର୍ଶନ କରି ମୋକ୍ଷ ପ୍ରାପ୍ତି ଲାଭ କରି ଖୁସି ହୋଇଥିଲେ । ଆଜ୍ଞା ପ୍ରାପ୍ତି ହୋଇଥିବା ଏହି ଫୁଲ ପେନ୍ଥାକୁ ଏକ ସୁସଜ୍ଜିତ ଚାଙ୍ଗୁଡ଼ାରେ ବର୍ଣ୍ଣାଢ଼୍ୟ ପଟୁଆରରେ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା । ଅସ୍ଥାୟୀ ମଣ୍ଡପରେ ଆଜି ଦେବୀଙ୍କ ଦଶଭୂଜା ମହାମାୟୀ ରୂପେ ବେଶ ସଜ୍ଜା ହୋଇ ସନ୍ଧ୍ୟା ସୁଦ୍ଧା ଅଗଣିତ ଭକ୍ତଙ୍କୁ ଦେବୀ ପ୍ରସନ୍ନ ଚିତ୍ତରେ ଦର୍ଶନ ଦେବେ । ଆଜି ସନ୍ଧ୍ୟାରେ ଅସ୍ଥାୟୀ ମଣ୍ଡପ ନିକଟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.