ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ “ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା” ୨୦୨୬ ମାଧ୍ୟମରେ ଆଜି ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏଥିପାଇଁ ନୂଆପଡ଼ା ଆମ ବସ୍ଷ୍ଟାଣ୍ଡ ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ । ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ନୂଆପଡ଼ା ବିଧାୟକଙ୍କ ପ୍ରତିନିଧି ତଥା ତାଙ୍କ ମା’ କଳ୍ପନା ଢୋଲକିଆ, ବିଜେପି ଜିଲ୍ଲା ସଭାପତି ଓ ସମାଜସେବୀ କମଲେଶ ଦିକ୍ଷିତ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଓ ଅତିଥିମାନେ ପତାକା ଦେଖାଇ ତୀର୍ଥଯାତ୍ରୀ ମାନଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ ଓ ସେମାନଙ୍କ ଏକ ସୁଖଦ ଯାତ୍ରା କାମନା କରିଥିଲେ । ଏହି ତୀର୍ଥଯାତ୍ରୀମାନେ ଦୁଇଟି ଭଲ୍ଭୋ ବସ୍ରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ସେମାନେ ଆସନ୍ତାକାଲି ଜଗନ୍ନାଥ ମନ୍ଦିର ଦର୍ଶନ କରି ୧୦ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ତୀର୍ଥଯାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସୁବିଧା ଯାତ୍ରା ପାଇଁ ସମସ୍ତ ପ୍ରୟୋଜନୀୟ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, ନୂଆପଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଓଏସ୍ଆର୍ଟିସି ଡିଏମ୍ ଆକାଶ ମହାପାତ୍ର, ସମାଜସେବୀ ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ ।