ଆଜି ଗନ୍ଧମାର୍ଦ୍ଦନରେ ପ୍ରସିଦ୍ଧ ଦୁର୍ଗେଇ ଦେବୀଙ୍କ ଯାତ୍ରା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠର ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡର ଦୁର୍ଗେଇଖୋଲ ଠାରେ ଆଜି ପ୍ରସିଦ୍ଧ ଦୁର୍ଗେଇ ଦେବୀଙ୍କ ଯାତ୍ରା ଆରମ୍ଭ ହେବ । ତ୍ରେତୟା ଯୁଗରୁ ପୂଜା ପାଇ ଆସୁଥିବା ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା ପ୍ରତିବର୍ଷ ମାର୍ଗଶୀର ମାସର ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ପୌଷ ମାସ କୃଷ୍ଣପକ୍ଷ ପ୍ରତିପଦ ଦିନ ଶେଷ ହୋଇଥାଏ । ଏହି ଯାତ୍ରାକୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ମିଠାପାଲି ପଞ୍ଚାୟତ ଅଧିନସ୍ଥ ମନଭଙ୍ଗ, କୁଢେରଫସା, ମିଠାପାଲି, ମନବୋଧପାଲି, ଲୁକୁପାଲି, ଲ‌ଉଡମାଲ, ପିପଲଖୁଟା, ମୋତିପାଲି, ପତ୍ରାପାଲି, ନୂଆଗାଁଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ମା’ ଦୁର୍ଗେଇ ଦେବୀ ପୂଜା ପରିଚଳନା କମିଟି ସଭାପତି ମଧୁସୂଦନ ପାଣ୍ଡେଙ୍କ ନେତୃତ୍ୱରେ ଏହି ଯାତ୍ରା ଚାଲୁଛି । ମନଭଙ୍ଗ ଗ୍ରାମର ପୂଜକ ବା ଦେହେରୀ ସୁବାଷ ମଲ୍ଲିକ ଏହି ଯାତ୍ରାରେ ପୂଜାର୍ଚ୍ଚନା କରିଥାନ୍ତି । ଦୁଇଦିନ ଧରି ଏହି ଯାତ୍ରା ଚାଲିଥାଏ । ଏହି ଯାତ୍ରାରେ ଶ୍ରଦ୍ଧାଳୁମାନେ ମନଭଙ୍ଗ ଡ଼୍ୟାମ ରାସ୍ତା ଦେଇ ଗନ୍ଧମାର୍ଦ୍ଦନର ପାଦଚଲା ପଥୁରିଆ ବାଟରେ ଚାଲି ଚାଲି ପ୍ରାୟ ୩ କିମି ଗଲେ ମା’ ଦୁର୍ଗେଇ ଦେବୀଙ୍କ ଆସ୍ଥାନକୁ ପହଞ୍ଚିଥାନ୍ତି । ପ୍ରତିବର୍ଷ ମାର୍ଗଶୀର ମାସର ପୂର୍ଣ୍ଣିମା ଦିନ ପ୍ରାତଃ ପ୍ରାୟ ୪ଘ.ରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ମା’ଙ୍କ ଦେହେରୀ ବା ପୂଜକ, ଅଳଙ୍କାର, ପାଟଖଣ୍ଡାକୁ ବୀରବାଦ୍ୟର ତାଳେ ତାଳେ ଶୋଭାଯାତ୍ରାରେ ପାଛୋଟି ନେଇ ମା’ଙ୍କ ଆସ୍ଥାନକୁ ଯାଇଥାନ୍ତି । ତାପରେ ଆସ୍ଥାନକୁ ପହଞ୍ଚି ଶ୍ରଦ୍ଧାଳୁ ଓ ଭକ୍ତମାନେ ମା’ଙ୍କୁ ସ୍ନାନ କରାଇ ଧୂପ, ଦୀପ, ପୁଷ୍ପ, ନଡ଼ିଆ ଦେଇ ଦିନ ବେଳେ ପୂଜାର୍ଚ୍ଚନା କରା ଯାଇଥାଏ, ତାପରେ ପାର୍ଶ୍ଵ ଦେବଦେବୀଙ୍କର ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ । ମାନସିକ ରଖିଥିବା ଶ୍ରଦ୍ଧାଳୁ ଓ ଭକ୍ତମାନେ ରାତ୍ରୀରେ ମା’ ଦୁର୍ଗେଇ ଦେବୀଙ୍କ ଦର୍ଶନ କରି ଶାଢ଼ୀ, ଚୁଡ଼ି, ସିନ୍ଦୂର, ଫୁଲମାଳ ଅର୍ପଣ ସହ ବୋଦା, କୁକୁଡା ଦେଇ ପୂଜାର୍ଚ୍ଚନା କରିଥାନ୍ତି । ପ୍ରତିବର୍ଷ ଏଠାରେ ହଜାର ହଜାର ସଂଖ୍ୟାରେ ଭିଡ ଦେଖିବାକୁ ମିଳିଥାଏ । ତେଣୁ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଦୁର୍ଗେଇ ଦେବୀ ପୂଜା ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ତେ ଅନୁରୋଧ କରିଛନ୍ତି । ଶ୍ରଦ୍ଧାଳୁ ଓ ଭକ୍ତମାନେ ଯାଉଥିବା ପାଦଚଲା ପଥୁରିଆ ବାଟକୁ ରାସ୍ତା ତିଆରି କରିବା ସହ ବିଦ୍ୟୁତର ବ୍ୟବସ୍ଥା କରିବା ପାଇଁଁ ଶ୍ରଦ୍ଧାଳୁ, ଭକ୍ତ ତଥା ଜନସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.