ଜରାସିଂହା ବୁଢ଼ିଆଈ ଯାତ୍ରା ଆଜି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହାରେ ଅନୁ‌ଷ୍ଠିତ ହେଉଥିବା ଐତିହାସିକ ବୁଢ଼ିଆଈ ଯାତ୍ରା ଗତ ଶନିବାର ଦିନ ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଶନିବାର ଦିନ ଗାଁର ସମସ୍ତ ଶ୍ରଦ୍ଧାଳୁ ନିଜ ନିଜ ଘରୁ ଗୋରସ ଆଣିବା ପର ବୁଢ଼ୀଆଇ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ରବିବାର ଦିନ ସନ୍ଧ୍ୟାରେ ପେଠା ବାବୁ ଶଙ୍କର ସିଂବାବୁଙ୍କ ଦ୍ବାରା ସେରନିବଟା ହୋଇଥିଲା। ଏହାପରେ ସମସ୍ତ ଦେହେଲିଆଙ୍କୁ ଲାଟ ବଣ୍ଟାଯିବା ପରେ ତଲେଇବସା ପର୍ବ ପରେ ଉପେନ ପିଟା କରାଯାଇଥିଲା । ଆଜି ଅର୍ଥାତ୍ ସୋମବାର ଦିନ ଦେହେରୀ ଓ ଝାଙ୍କରଙ୍କୁ ବରଣ କରାଯିବା ପରେ ଯାତ୍ରା ଆରମ୍ଭ ହେବ । ବୁଢ଼ୀଆଈ ଯାତ୍ରାର ମୁଖ୍ୟ ବରୁଆ ଭାବେ ସନ୍ତୋଷ ଥନାପତି ଦାୟିତ୍ବ ନେଇଥିବା ବେଳେ ଜମିଦାର ଦୁର୍ଗାପ୍ରସାଦ ସିଂଦେଓ, ପୂଜକ ଉଜ୍ବଳ ଝାଙ୍କର, ସାହାଣି- ନାରାୟଣ ସିଂ ସାହାଣି, ପେଠା ବାବୁ ଶଙ୍କର ସିଂବାବୁ, ମଶାଲିଆ ଶ୍ରୀବତ୍ସ ସାହୁ, ଛତ୍ରିଆ-ଜୟହିନ୍ଦ ଛତ୍ରିଆ ପ୍ରମୁଖ ନିଜ ନିଜ କର୍ତ୍ତବ୍ୟ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଜରାସିଂହା ଗାଁ ଭିତରେ ବୁଢ଼ିଆଈ ଯାତ୍ରା ଓ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭୀଡ଼ ହେବାର ଆଶଙ୍କା ଥିବାରୁ ଦେଓଗାଁ ଥାନା ପକ୍ଷରୁ ପୁଲିସ ମଧ୍ୟ ଶାନ୍ତି ଶୃଙ୍ଖଳା ପାଇଁ ଉଦ୍ୟମ କରୁଅଛି ।

Leave A Reply

Your email address will not be published.