ଆଜିଠୁ ଚନ୍ଦନ ଯାତ୍ରା

ଭୁବନେଶ୍ୱର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଠାରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା । ଅସହ୍ୟ ଗରମ, ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବଙ୍କ ସହ ଶ୍ରୀଲିଙ୍ଗରାଜ ବିନ୍ଦୁସାଗରରେ ଚାପ ଖେଳିବେ । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାଖେଳା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ସମସ୍ତ ନୀତିକାନ୍ତି ସମାପନ ପରେ ସଂଧ୍ୟା ୫ଟାରେ ଦେବାଦେବୀମାନେ ମନ୍ଦିରରୁ ବାହାରି ବିନ୍ଦୁସାଗର ବ୍ରହ୍ମାଘାଟ କୂଳକୁ ଯିବେ । ସେଠାରେ ଚାପ ଡଙ୍ଗାରେ ପୂଜାପଣ୍ଡା ସେବାୟତ ଛେରା ପହଁରା କରିବା ପରେ ପାଳିଆବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବେ । ପରେ ଦେବାଦେବୀ ଚାପ ଡଙ୍ଗାର ସିଂହାସନରେ ବସିବେ । ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ ଦୁର୍ଗା ବସିବେ । ସେହିପରି ଦୁଇକଡ଼ରେ ଥିବା ସିଂହାସନରେ ବାସୁଦେବ ବସି ଯାତ୍ରା କରିବେ । ପୁଷ୍କରିଣୀରେ ଚାପ ଖେଳି ୨୨ଦିନ ଧରି ମଠ ଘାଟରେ ଭୋଗ ଖାଇବେ । ଏହାପରେ ୮ଘେରା ଭଉଁରି ଖେଳି ଜଗତିକୁ ଯିବେ । ସେଠାରେ ନିତିପୂଜା କରାଯାଇ ଚନ୍ଦନ ପାଣିରେ ବୁଡ଼ିବେ । ପୁଣି ଜଗତିରୁ ବାହାରି ଜଗତି ଚାରିପଟେ ଡଙ୍ଗାରେ ଭଉଁରି ଖେଳି ପ୍ରତ୍ୟାବର୍ତ୍ତନ କରିବେ ।

୨୨ ଦିନ ଧରି ଚାଲିବାକୁ ଥିବା ଏହି ଚନ୍ଦନ ଯାତ୍ରା ପାଇଁ ରଥଦାଣ୍ଡରେ ଆମିଷ ବିକ୍ରିକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ମହାପ୍ରଭୁ ଏହି ରଥଦାଣ୍ଡ ଦେଇ ବିନ୍ଦୁସାଗରରୁ ପ୍ରତ୍ୟାବର୍ତ୍ତନ କରିବାକୁ ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏ ସଂପର୍କ‌ରେ ମାଇକ୍‌ ଯୋଗେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର କରାଯାଇଛି ।

Leave A Reply

Your email address will not be published.