ଆରମ୍ଭ ହୋଇଛି ବ୍ରହ୍ମପୁରର ଠାକୁରାଣୀ ଯାତ୍ରା

  • ଚଳଚଞ୍ଚଳ ହୋଇ ଉଠିଛି ବ୍ରହ୍ମପୁର ମହାନଗର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆରମ୍ଭ ହୋଇଛି ଐତିହାସିକ ଗଣପର୍ବ ବ୍ରହ୍ମପୁର ଠାକୁରାଣୀ ଯାତ୍ରା । ଏକ ଅଲୌକିକ ଶକ୍ତି ପରମ୍ପରାର ଭୁଜବଳ ନେଇ ଆସିଛନ୍ତି ମାଆ ସାଆନ୍ତାଣୀ ଆରାଧ୍ୟ ଦେବୀ ବୁଢ଼ୀ ଠାକୁରାଣୀ । ବୁଧବାର ପାହାନ୍ତିଆରୁ ମାଆଙ୍କ ଆଜ୍ଞାମାଳ ଆସିଛି, ତେବେ ଅସ୍ଥାୟୀ ମଣ୍ଡପରେ ମାଆ ସାଆନ୍ତାଣୀ ବିଜେ କରିଛନ୍ତି । ପ୍ରତିଦିନ ଢେଙ୍ଗୁରା ବାଦ୍ୟରେ ସୂଚନା ପ୍ରଦାନ କରାଯାଉଛି । ଏବେ ଚଳ ଚଞ୍ଚଳ ହୋଇଛି, ବ୍ରହ୍ମପୁର ସହର । ସରସ ସୁନ୍ଦର ହୋଇ ଉଠିଛି ଦେଶ୍ ବେହେରା ସାହି । ମାଆଙ୍କ ପଦାର୍ପଣରେ ବିଭିନ୍ନ ପସରା ମେଳିଛି । ଘରେ ଘରେ ଜ୍ଞାତି କୁଟୁମ୍ବ, ବନ୍ଧୁ ପରିଜନମାନଙ୍କୁ ଆମନ୍ତ୍ରଣ ହୋଇଛି । ଏଠାକାର ପ୍ରତ୍ୟେକ ପରିବାରରେ ଆନନ୍ଦର କୋଳାହଳ ଗୁଞ୍ଜରୀତ ହେଉଛି ।

ବ୍ରହ୍ମପୁରର ଠାକୁରାଣୀଯାତ୍ରା ଭାରତ ପ୍ରସିଦ୍ଧ । ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଅନୁକରଣରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଠାକୁରାଣୀ ଯାତ୍ରା ପ୍ରଚଳିତ ହୋଇ ଆସିଥିବା ଜଣାଯାଏ । ବ୍ରହ୍ମପୁରର ମାଆ-ସାଆନ୍ତାଣୀ ବୁଢ଼ୀଠାକୁରାଣୀ ହେଉଛନ୍ତି, ମହୁରୀରାଜାଙ୍କ ଘର-ଇଷ୍ଟଦେବୀ, ଅଧୂନା ବ୍ରହ୍ମପୁରର ବଡ଼ବଜାର ସ୍ଥିତ ଦେଶବେହେରା ସାହି ହେଉଛି ଦେବୀଙ୍କ ମାଆ ଘର ଅବା ଜନ୍ମସ୍ଥାନ ଅଟେ । ଦେଶବେହେରାଙ୍କ ଝିଅ ହେଉଛନ୍ତି, ମାଆ ବୁଢ଼ୀଠାକୁରଣୀ ବୋଲି କଥିତ ଅଛି । ତେବେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅନୁକରଣରେ ଗଞ୍ଜାମ ଜିଲ୍ଲାର ପିତଳ, ଭଞ୍ଜନଗର, ବେଲଗୁଣ୍ଠା, କବିସୂର୍ୟ୍ୟନଗର, ଛତ୍ରପୁର ଏବଂ ସୀମା-ଆନ୍ଧ୍ର ଇଚ୍ଛାପୁର ସହରରେ ଠାକୁରଣୀ ଯାତ୍ରା ପ୍ରଚଳିତ ହୋଇ ଆସିଥିବା କୁହାଯାଏ । ସେହିପରି ଭଞ୍ଜନଗର ଅନୁକରଣରେ ଫୁଲବାଣୀ ସହରରେ ଠାକୁରାଣୀ ଯାତ୍ରା ହୋଇ ଆସିଥିବା କୁହାଯାଏ । ଐତିହାସିକ ଗଣପର୍ବ ଠାକୁରଣୀ ଯାତ୍ରା ଲାଗି ବ୍ରହ୍ମପୁର ସହରର ଅଧିବାସୀ ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହିତ ଭକ୍ତି ଭାବାପନ୍ନରେ ଅଧିକ ସାନିଧ୍ୟ ସମ୍ଭବ ହୋଇପାରିଛି ।

Leave A Reply

Your email address will not be published.