ବହୁ ପ୍ରତିକ୍ଷିତ ଜରାସିଂହା ପାଟଖଣ୍ଡା ଯାତ୍ରା ୪ରୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁରେ ବହୁ ପ୍ରତିକ୍ଷିତ ପାଟଖଣ୍ଡା ଯାତ୍ରା ଆସନ୍ତା ୪ ତାରିଖରୁ ଆରମ୍ଭ ହେବା ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଲଗ୍ନ ଧାର୍ଯ୍ୟ କରିଥିବା ପଣ୍ଡିତମାନଙ୍କ ମତରେ ୧ ତାରିଖ ଶନିବାର ଦିନ ୧୦.୪୫ଟା ସମୟରେ ପାଟସିନ୍ଦୁର ଆଣିବାକୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହାଆଡ଼ମ୍ବରରେ ଓ ପାରଂପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ । ସେହିପରି ୨ ତାରିଖ ମହାଷ୍ଟମୀ ସିଂହଦ୍ୱାର ପୂଜା, ରାଜବାଟି ପୂଜାରେ ଦେବତାଙ୍କ ପାଲିଙ୍କିରେ ବିଶ୍ରାମ ହେବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ୩ ତାରିଖ ସୋମବାର ମହାନବମୀ ପାଟଖଣ୍ଡା ସ୍ନାନ, ପାଟସିନ୍ଦୁର ବରଣ ଯାତ୍ରା, ଅଖଣ୍ଡ ଅହୋରାତ୍ର ପ୍ରାୟ ରାତି ୧୧.୪ ମିନିଟରେ ହେବ । ସେହିପରି ୪ ତାରିଖ ବିଜୟା ଦଶମୀ ତିଥିରେ ବହୁ ପ୍ରତିକ୍ଷିତ ଦେଝାର ପୂଜା ସ୍ଥଳରେ ପୂଜା କାର୍ଯ୍ୟ ଆରମ୍ଭ ହେବା ସହ ସନ୍ଧ୍ୟା ୫ଟା ୨୭ ଦେବତାଙ୍କ ଅବିର୍ଭାବ ଓ ରାତି ୮ଟା ୩୯ ମିନିଟ ମଧ୍ୟେ ଉଚ୍ଚଗୁଡ଼ି ଯାତ୍ରାଖଳାରେ ଫଳଖିଆଙ୍କୁ ବରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୫ ତାରିଖ ୩.୪୫ରେ ଉଚ୍ଚ ବାହାଲି ମହାଖଳାରେ ଯାତ୍ରା ଓ ବଊରାପିଟାକୁ ଆଗମନ ଓ ରାତ୍ରିରେ ବିଶ୍ରାମ, ୬ ତାରିଖ ରାତ୍ରିରେ ୧୧.୪୯ ମିନିଟରେ ଓ ନିଶିପୂଜା ଲିଙ୍ଗାବରଣ ପୂଜା, ସନ୍ଧିପୂଜା, ଓ ୩.୩୯ ମିନିଟରେ ବଉରା ପିଟାକୁ ଆଗମନ କାର୍ଯ୍ୟକ୍ରମ ରହିଛି । ସେହିପରି ୭ ତାରିଖ ଦିନ ୮.୫୮ରେ ବଉରାପିଟାରୁ ନିଶିଗୁଡ଼ି ଗମନ ଓ ଅପରାହ୍ନ ୧୧.୧୭ରେ ବିରୁପାଣି ପୂଜା, ଜେନାପୂଜା ଓ ରାତି ୯ଟା ୧୫ରେ ନିଶିଗୁଡ଼ି ପୂବା ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଏହା ସହ ୮ ତାରିଖରେ ଶନିବାର ଦିନ ୯ଟା ୪୩ ମିନିଟ ନିଶିଗୁଡ଼ି ଯାତ୍ରା, ସେହିଦିନ ଅପରାହ୍ନ ୪ଟା ୭ ମିନିଟରେ ବାହୁଡ଼ା ବିଜୟରେ ଭକ୍ତଙ୍କୁ ଶେଷ ଦର୍ଶନ କରି ଜଙ୍ଗଳକୁ ପାଟଖଣ୍ଡାଙ୍କ ପ୍ରତ୍ୟାବର୍ତ୍ତନ ପର୍ବ ଅନୁ‌ଷ୍ଠିତ ହେବାକୁ ସ୍ଥିର କରାଯାଇଥିବା ବେଳେ ୧୦ ତାରିଖ ସୋମବାରରେ ଅଷ୍ଟମଙ୍ଗଳା ହେବାକୁ ସ୍ଥିତି ଲଗ୍ନ ଧାର୍ଯ୍ୟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଭାଦ୍ରବ ପୂର୍ଣ୍ଣିମା ଦିନ କଣ୍ଟାଫିଟା ଯାତ୍ରା ଓ ୧୭ ତାରିଖ ମୂଳାଷ୍ଟମୀ ଦିନ ଖଣ୍ଡାବସା ଯାତ୍ରା ଅନୁଷ୍ଠିତ ହୋଇସାରିଥିବା ବେଳେ ୨୫ ତାରିଖ ତେଲେନ ବସା ଓ ଉଚ୍ଚଗୁଡ଼ି ପୂଜା ଶେ‌ଷ ହୋଇଥିବା ବିଷୟରେ ଜରାସିଂହା ଜମିଦାର ଦୁର୍ଗାପ୍ରସାଦ ଥନାପତି ଓ ମୁଖ୍ୟ ବରୁଆ ସନ୍ତୋଷ ଥନାପତି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗତ ୨ବର୍ଷ ହେଲା କରୋନା କଟକଣା ଯୋଗୁଁ ଯାତ୍ରାକୁ ସିମିତ ପୂଜକ ଓ ଶ୍ରଦ୍ଧାଳୁଙ୍କୁ ନେଇ ହୋଇଥିବା ବେଳେ ଚଳିତ ବର୍ଷ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଯୋଗଦେବାର ଆଶା କରାଯାଉଛି । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆୟୋଜକ ଓ ପୁଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।

Leave A Reply

Your email address will not be published.

error: Content is protected !!