ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ
ବରଗଡ, (ନିରୋଜ କୁମାର ପାଣୀ) : ଆଜି ଲୋକସଭାର ଶୀତକାଳୀନ ଅଧିବେଶନରେ ୩୭୭ ଧାରା ଅଧିନିୟମ ଅନୁୟାୟୀ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ କେନ୍ଦ୍ର ସରକାରଙ୍କ ଠାରେ ପ୍ରସ୍ତାବ ଉଠାଇଛନ୍ତି । ଶ୍ରୀ ପୁରୋହିତ ଉଲ୍ଲେଖ କରିଛନ୍ତି ଯେ, ୯୭ କି.ମି. ବ୍ୟାପୀ ପଶ୍ଚିମ ଓଡିଶାର ଗନ୍ଧମାର୍ଦ୍ଦନ ପାହାଡ଼ରେ ୨ଟି ପ୍ରମୁଖ ନଦୀ, ବହୁ ଝରଣା, ଦୁର୍ଲଭ ବନୌଷଧିର ଭଣ୍ଡାର ରହିଛି । ଏତଦ୍ ବ୍ୟତୀତ ନୃସିଂହନାଥ – ହରିଶଙ୍କର ୨ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଓ ମନ୍ଦିର ଅବସ୍ଥିତ ଅଛି । ଚୀନ ପରିବ୍ରାଜକ ହୁଏନସାଂକୁ ଗନ୍ଧମାର୍ଦ୍ଦନକୁ ପରିମଳ ଭାବେ ଉଲ୍ଲେଖ କରି ବହୁ ବର୍ଷ ତଳେ ବୌଦ୍ଧ ବିହାର ଥିବା ଉଲ୍ଲେଖ କରିଛନ୍ତି । ଗନ୍ଧମାର୍ଦ୍ଦନ ଚାରିପଟେ ୫୦ ହଜାର ଜନଜାତିର ପରିବାର ତାଙ୍କ ଜୀବନ ଜୀବିକା ନିର୍ଭର କରି ଚଳୁଥିବା ଶ୍ରୀ ପୁରୋହିତ ଉଲ୍ଲେଖ କରିବା ସହ ୧୯୮୩ ମସିହାରେ ତତ୍କାଳୀନ କଂଗ୍ରେସ ଦଳର ସରକାର ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଉତ୍ତୋଳନ ପାଇଁ ଖଣିପଟା ଦେଇଥିଲେ । ଜନଜାତି ଓ ସାଧାରଣ ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ୧୯୮୮ ମସିହାରେ ସରକାର ଖଣି ପଟା ରଦ୍ଦ କରିଥିଲେ । କିନ୍ତୁ ବିଭିନ୍ନ ସମୟରେ ଗନ୍ଧମାର୍ଦ୍ଦନରେ ବିଭିନ୍ନ ସରକାର ସମୟରେ ଖଣି ଖନନର ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ଲୋକସଭାରେ ଗନ୍ଧମାର୍ଦ୍ଦନ ପାହାଡକୁ ଜାତୀୟ ସଂପତ୍ତି ରୂପେ ଘୋଷଣା କରିବା ପାଇଁ ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନୃସିଂହନାଥ ଏବଂ ହରିଶଙ୍କରକୁ ଜାତୀୟ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେବା ପାଇଁ ଦାବୀ କରିଛନ୍ତି ।