ବଲାଙ୍ଗିର, (କେପିଏନ୍ଏସ୍) : ଜାତିବାଦ ମାନବ ସମାଜରେ ଏକ ବ୍ୟାଧି । ଏହା ସମାଜରେ ରହିଥିବା ପର୍ଯ୍ୟନ୍ତ ଅର୍ଥନୈତିକ ଓ ସାମାଜିକ ଉନ୍ନତି ପରିକଳ୍ପନା କରାଯାଇ ନପାରେ । ମାନବବାଦର ବିକାଶ ହେଲେ ଜାତିବାଦକୁ ଦୂର କରିହେବ । ତେଣୁ ମାନସିକତାରେ ପରିବର୍ତ୍ତନ ଓ ସଂସ୍କାରିତ ହେଲେ ଜାତିବାଦର ବିନାଶ ହୋଇପାରିବ ବୋଲି ସ୍ଥାନୀୟ ପିପି ଏକାଡେମୀ ସ୍କୁଲର ସଭା କକ୍ଷରେ ‘ଗଣ୍ଡାବଜା’ ପତ୍ରିକା ପକ୍ଷରୁ ଆୟୋଜିତ ବାବାସାହେବ ଆମ୍ବେଦକରଙ୍କ ‘ଏନିହିଲେସନ ଅଫ୍ କାଷ୍ଟ’ ପୁସ୍ତକର ସମୟ ଉପଯୋଗୀ ସମୀକ୍ଷା ଶୀର୍ଷକ ଆଲୋଚନାଚକ୍ରରେ ବକ୍ତାଗଣ ମତବ୍ୟକ୍ତ କରିଛନ୍ତି । ଗଣ୍ଡାବଜା ପ୍ରତିକାର ସଂପାଦକ ତ୍ରିଲୋଚନ ନନ୍ଦଙ୍କ ସଭାପତିତ୍ୱ ଓ ତରଣୀସେନ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଠମଲ୍ଲିକର ଉପଜିଲ୍ଲାପାଳ ଆମ୍ବେଦକରବାଦୀ ତରଣୀସେନ ସୁନା, ବିଶିଷ୍ଟ ଆଲୋଚକ ଭାବରେ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ସମ୍ବଲପୁର ଆଇଆଇଏମ୍ର ଏସୋସିଏଟ୍ ପ୍ରଫେସର ଡ.ସୁଜୀତ କୁମାର ପୃଷେଠ, ଆଇନଜୀବୀ ଦୀନେଶ ନାଗ ଓ ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାପତି ସବିତା ନନ୍ଦ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ସୁନା ତାଙ୍କ ବକ୍ତବ୍ୟରେ ୧୯୩୬ ମସିହାରେ ଥିବା ସାମାଜିକ ଜାତିପ୍ରଥାର କଳୁଷିତ ପ୍ରଥାକୁ ସମୁଳେ ବିନାଶ କରିବାକୁ ବାବା ସାହେବ ଆମ୍ବେଦକର କିଭଳି ପ୍ରତିବଦ୍ଧ ହୋଇଥିଲେ ଓ ଏନିହିଲେସନ୍ ଅଫ କାଷ୍ଟ ପୁସ୍ତକ ରଚନା କରିଥିଲେ ସେ ବିଷୟରେ କହିଥିଲେ । ସେ କହିଥିଲେ ଯେ, ହଜାର ହଜାର ବର୍ଷ ଧରି କିଛି ମୁଷ୍ଟିମେୟ ଲୋକ ଜାତିପ୍ରଥାରୁ ଲାଭାନ୍ୱିତ ହେଉଛନ୍ତି । ଶାସ୍ତ୍ରକଥା କହି ଜାତି ଆଧାରରେ ଲାଭଉଠାଇ ଅନ୍ୟଜାତିକୁ ତଳିତଳାନ୍ତ କରାଯାଇଥିଲା । ଶାସନ ବ୍ୟବସ୍ଥାରେ ଏକ ବଡଗୋଷ୍ଠୀକୁ ବାଦ ଦେଇ ଶହଶହ ବର୍ଷ ଧରି ଅବହେଳା କରାଯାଇ ଆସିଛି । ତେଣୁ କେବଳ ମାନବବାଦର ବିକାଶରେ ଜାତିବାଦର ବିନାଶ ହେବ ବୋଲି ଶ୍ରୀ ସୁନା ମତବ୍ୟକ୍ତ କରିଥିଲେ । ଠିକ୍ ସେହିପରି ବାବା ସାହେବ ଜଣେ ସ୍ୱାଭିମାନୀ ମଣିଷ ଭାବରେ ଲାହୋରର ଜାତପାତ ତୋଡୋମଣ୍ଡଳ ପକ୍ଷରୁ ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା ଓ ତାଙ୍କ ଲେଖାରେ ପରିବର୍ତ୍ତନ କରିବାକୁ ଚାହିଁବାରୁ ସେ କିଭଳି ବୈଠକକୁ ଯାଇନଥିଲେ ସେ ବିଷୟରେ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କହିଥିଲେ । ପ୍ରଫେସର ପୃଷେଠ ତାଙ୍କ ବକ୍ତବ୍ୟରେ ବାବା ସାହେବ କିଭଳି ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉଠାଇଥିଲେ ସେ ଉପରେ ଆଲୋଚନା କରିବା ସହିତ ୧୯୨୩ ମସିହାରେ ଝାରସୁଗୁଡା ପଞ୍ଚପଡା ମାଟିରୁ ସାମାଜିକ ଅସ୍ପୃଶ୍ୟତା ଓ ନିଶା ସେବନ ବିରୁଦ୍ଧରେ ସ୍ୱର ଉଠାଇଥିବା ମୀନ ଗୌଡ କଥା ସ୍ମରଣ କରିଥିଲେ । ଠିକ୍ ସେହିପରି ଆଗାମୀ ଦିନରେ ନୂଆ ଟେକ୍ନୋଲୋଜୀ କିଭଳି ଯୁବକଙ୍କ ନିଯୁକ୍ତିରେ ବାଧକ ସାଜିବ ଓ ସେଥିରେ ତଳବର୍ଗର ପିଲା ପ୍ରଭାବିତ ହେବେ ସେ ଉପରେ ଆଲୋଚନା କରିଥିଲେ । ଆଇନଜୀବୀ ଦିନେଶ ନାଗ ବାବା ସାହେବଙ୍କୁ ଜଣେ ମହାମାନବ ଭାବରେ ଅବତାରଣା କରି ଦଳିତ ସମାଜ ଶିକ୍ଷିତ, ସଂଗଠିତ ହୋଇ ପାରିଲେ ତଥା ଦୃଢମନା ହେଲେ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ବୋଲି କହିଥିଲେ । ଜାତିବାଦକୁ ବିିଲୋପ କରିବାକୁ ହେଲେ ସବୁବର୍ଗର ଲୋକଙ୍କ ସହାୟତାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡିଶା ମହିଳା ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।