ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ

ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ବ୍ଲକର ବିଭିନ୍ନ ମଠ ମନ୍ଦିରମାନଙ୍କରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଗୀତ ଭବନ, ରାଧାକୃଷ୍ଣ ମନ୍ଦିର, ମୁଖିଗୁଡ଼ଜ୍ଝ, ବାନେର, କଦୋ ପଦର, ପୋଲକା ମୁଣ୍ଡା ଆଦି ଅଞ୍ଚଳରେ ନିଷ୍ଠାର ସହିତ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ଜୟପାଟଣା ଯାଦବ ଭବନ ପରିସର ମଧ୍ୟରେ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ଜନ୍ମାଷ୍ଟମୀ ଅବସରରେ ଶତାଧିକ ଶ୍ରଦ୍ଧାଳୁ ଯଜ୍ଞ ସ୍ଥଳରେ ଉପସ୍ଥିତ ରହି ଦୀପ ଯଜ୍ଞରେ ସାମିଲ ହୋଇଥିଲେ । ଶତ୍ରୁଘ୍ନ ରାଉତ ସସ୍ତ୍ରିକ ଯଜମାନ ଭାବରେ ସଂକଳ୍ପ ନେଇଥିବା ବେଳେ ଆଚାର୍ଯ୍ୟ ହୃଷୀକେଶ ମୁଣ୍ଡ ପୂଜକ ଦାୟିତ୍ଵ ସମ୍ପନ୍ନ କରିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ଯାଦବ ସମାଜର ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଏକ ବିଶାଳ ପଟୁଆର ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଟୋ ଚିତ୍ରକୁ ଧରି ନଗର ପରିକ୍ରମା କରାଇଥିଲେ । ଏହି ଅବସରରେ ପାରମ୍ପରିକ ବନା ବାଡ଼ି ଖେଳ ଓ ବିଭିନ୍ନ ଶାରୀରିକ କୌଶଳ ସହ ଯୁବକମାନେ ମିଳିତ ଭାବରେ ଦଧି ହାଣ୍ଡି ଭାଙ୍ଗିଥିଲେ ।

Leave A Reply

Your email address will not be published.