ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ହରିଶଙ୍କର ଗସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଗୁରୁବାର ହରିଶଙ୍କର ଗସ୍ତ କରିଛନ୍ତି । ପ୍ରଥମେ ବାଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଗସ୍ତରେ ଶ୍ରୀ ଖୁଣ୍ଟିଆ ଆସିଥିଲେ । ଗନ୍ଧମାର୍ଦ୍ଦନ ପର୍ବତମାଳା ଜୈବ ବିବିଧତା ଐତିହସ୍ଥଳୀ ଉପରେ ଅନୁଧ୍ୟାନ କରି ଜଙ୍ଗଲ ବିଭାଗ ସହିତ ଆଲୋଚନା କରିଥିବା ବେଳେ ହରିଶଙ୍କର ଠାକୁରଙ୍କୁ ଦର୍ଶନ କରିଥିଲେ । ହରିଶଙ୍କର ପର୍ଯ୍ୟଟନସ୍ଥଳୀ ଓ ଗନ୍ଧମାର୍ଦ୍ଦନ ଜୈବବିବିଧତା ଐତିହ୍ୟସ୍ଥଳୀର ଉନ୍ନତି ଓ ହରିଶଙ୍କର ଡ଼ିଅର ପାର୍କକୁ ଚିଡ଼ିଆଖାନାରେ ରୂପାନ୍ତରିତ କରିବା ପାଇଁ ଯାହା ଆନୁସଙ୍ଗିକ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ । ହରିଶଙ୍କର ସ୍ଥିତ ଜଙ୍ଗଲ ବିଭାଗ ଅଧିନସ୍ଥ ଶିଶୁ ଉଦ୍ୟାନରେ ବୃକ୍ଷରୋପଣ କରି ସବୁଜ ସୁନ୍ଦର ହରିଶଙ୍କର ଗଢିବା ସହିତ ପ୍ଲାଷ୍ଟିକ ମୁକ୍ତ କରିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଜନସଚେତନତା ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ସମ୍ପଦର ସଂରକ୍ଷଣ ଓ ସମୃଦ୍ଧି କଷ୍ଟକର । ଜଙ୍ଗଲ ନିକଟରେ ବସବାସ କରୁଥିବା ଅଧିବାସୀଙ୍କ ଦାରିଦ୍ର୍ୟ ଦୂରୀକରଣ କରାଯାଇ ସେମାନଙ୍କ ଆୟ ଓ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ନୂତନ ସରକାର ବଦ୍ଧପରିକର ବୋଲି କହିଥିଲେ । ହରିଶଙ୍କର ବାବାଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ ଏବଂ ସମସ୍ତେ ଖୁସିରେ ରହନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ମନ୍ତ୍ରୀଙ୍କ ଗସ୍ତକୁ ନେଇ ବନବିଭାଗ କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ଦେଖାଦେଇଥିଲା ।

Leave A Reply

Your email address will not be published.