
ସାଲେପୁର : କଟକ-ସାଲେପୁର ରାସ୍ତାର ଶିଶୁଆ ବଜାର ରାସ୍ତାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ହୋଟେଲ ଭିତରକୁ ମାଡ଼ିଗଲା ଟ୍ରେଲର । ଦୁର୍ଘଟଣାରେ ଚାଲିଗଲା ହୋଟେଲ କର୍ମଚାରୀଙ୍କ ଜୀବନ । ମୃତକ ହେଉଛନ୍ତି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ମନୋଜ ନାୟକ । ସୂଚନା ମୁତାବକ, ଶୁକ୍ରବାର ବିଳମ୍ୱିତ ରାତିରେ କଟକ-ସାଲେପୁର ରାସ୍ତାର ଶିଶୁଆ ବଜାର ରାସ୍ତା ପାର୍ଶ୍ୱରେ ଥିବା ସିଦ୍ଧି ନାମକ ହୋଟେଲ ଭିତରକୁ ଏକ ଟ୍ରେଲର ଭାରସାମ୍ୟ ହରାଇ ମାଡ଼ି ଯାଇଥିଲା । ଫଳରେ ହୋଟେଲଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ଦୁର୍ଘଟଣା ବେଳେ ହୋଟେଲ ଭିତରେ ଶୋଇଥିବା କର୍ମଚାରୀ ମନୋଜ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସାଲେପୁର ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରେଲରକୁ ଜବତ କରି ତଦନ୍ତ ଚଳାଇଛି ।