
ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଝାଡ଼େଶ୍ୱରପୁର ଗ୍ରାମ ପଞ୍ଚାୟତ କୁସୁମଣ୍ଡଳ ଗୋପୀନାଥପୁର ମନାନ ଗଡାଠାରେ ଅଘଟଣ । ଏକ କୋଠା ଘରେ ବୋମା ବିସ୍ଫୋରଣ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଘରଟି ଭାଙ୍ଗି ରୁଜି ଚୁରୁମାର ହୋଇଯାଇଛି । ଖବର ପାଇଁ ନେମାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ କୁସୁମଣ୍ଡଳ ଗୋପୀନାଥପୁର ଗାଁରେ ଥିବା ଏକ କୋଠାଘରେ କିଛି ଦୁର୍ଦ୍ଦାନ୍ତ ଅପରାଧୀ ଯୋଜନା ବଦ୍ଧ ଭାବେ ବୋମା ଭିଡୁଥିଲେ । ଏହି ସମୟରେ ଆକସ୍ମିକ ଭାବେ ବୋମା ବିସ୍ଫୋରଣ ଘଟିଥିଲା । ଫଳରେ ଘରଟି ସମ୍ପୂର୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ ଉକ୍ତ ଘରେ ରହୁଥିବା ଜଣେ ଅଜଣା ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ । ବୋମା ବିସ୍ଫୋରଣର ଭୟଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟଲୋକେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ପାଇଁ ନେମାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।