ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଆଜି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକ ଡାଉନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ସହରାଞ୍ଚଳ ମଧ୍ୟରେ ଲକ ଡାଉନକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଛକ ମାନଙ୍କରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି । ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି ଯାଞ୍ଚ କାର୍ୟ୍ୟକ୍ରମ ଚାଲୁ ରହିଛି । ସ୍ଥାନୀୟ ତହସିଲଦାର ସଂଜନ କୁମାର ସେଠ, ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ଭୁଏ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟନିର୍ବାହ ଅଧିକାରୀ ଜୟକୁମାର ସାହୁ ଏବଂ ପୋଲିସ ବିଭାଗ ତରଫରୁ ବିଭିନ୍ନ ଛକ ମାନଙ୍କରେ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି । ସରକାରଙ୍କ ନିୟମାନୁସାରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଛାଡି ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନ, ଯାନ ବାହାନ ଚଳାଚଳ ପ୍ରଭୃତି ବନ୍ଦ ରହିଛି । ସେହିପରି ପାଇକମାଲ ମୁଖ୍ୟ ଛକ ଏବଂ ଝାରବନ୍ଧ ମୁଖ୍ୟ ଛକରେ କଡାକଡି ଭାବରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।