
- ହଜାର ହଜାର ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କଲେ ଲୋକସଭା ପ୍ରାର୍ଥୀ ମନୋଜ
- ବିନାଶ ବିପକ୍ଷରେ, ବିକାଶ ସପକ୍ଷରେ ହେବ ମତଦାନ : ସମରେନ୍ଦ୍ର
ବଲାଙ୍ଗିର, (କେପିଏନ୍ଏସ୍) : କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ବଲାଙ୍ଗିର ସହରରେ ଜନସମୁଦ୍ର ଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବକ, କୃଷକ, ଶ୍ରମିକ, ମହିଳାଙ୍କ ଭାଗିଦାରୀ ସୂଚେଇ ଦେଉଛି ଯେ, ଗତ ୧୦ ବର୍ଷ ହେଲା ବଲାଙ୍ଗିରରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ଆହୁରି ଆଗକୁ ବଢ଼ାଇ ଦେବା ପାଇଁ ଲୋକେ ବଦ୍ଧପରିକର । ଆଜିର ଏଇ ଅଭୂତପୂର୍ବ ଜନସମର୍ଥନ ସୂଚନା ଦେଉଛି ଯେ, ବଲାଙ୍ଗିର ଜନତା ଆଉ ପଛକୁ ଫେରିବାକୁ ଚାହୁଁ ନାହାନ୍ତି । ସେମାନେ ସ୍ପଷ୍ଟମନା ହେଇଛନ୍ତି ଯେ, ଆଗାମୀ ନିର୍ବାଚନରେ ତାଙ୍କର ମତ ବିନାଶର ବିପକ୍ଷରେ ଏବଂ ବିକାଶର ସପକ୍ଷରେ ହେବ ବୋଲି ଆଜି ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ ପରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟ ଦେଇ କହିଛନ୍ତି । ପ୍ରସ୍ତାବକ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ବିଶିଷ୍ଟ ସମାଜସେବୀକା ଡା. ଜ୍ୟୋତ୍ସ୍ନାମୟୀ ମହାପାତ୍ରଙ୍କ ସହ ସମରେନ୍ଦ୍ର ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଦୁଇ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଶୋଭାଯାତ୍ରା ପରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏଇ ନିର୍ବାଚନରେ ସାଧାରଣ ଜନତା ଆଉ କର୍ମୀମାନଙ୍କ ମଧ୍ୟରେ ଗତ ଦୁଇଟି ନିର୍ବାଚନ ଅପେକ୍ଷା ଅଧିକ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି । କଂଗ୍ରେସ କର୍ମୀ ଓ ଆମର ଶୁଭେଚ୍ଛୁମାନେ ଗାଁରୁ ପଡା, ପଡାରୁ ସହର ସବୁକ୍ଷେତ୍ରରେ ଅଧିକ ସଙ୍ଗଠିତ ଓ ଅଧିକ ମଜଭୁତ ହୋଇ ନବୀନ ସରକାରର ୨୪ ବର୍ଷର କୁଶାସନ ବିରୁଦ୍ଧରେ ଲଢେଇ଼ କରିବା ପାଇଁ ସ୍ଥିର କରିଛନ୍ତି । ତା ସହ ସ୍ଥାନୀୟ ପୂର୍ବତନ ରାଜପରିବାରର ବଲାଙ୍ଗିର ବିକାଶ ପ୍ରତି ବିମୁଖତା, ଲୋକଙ୍କ ସ୍ୱାର୍ଥ ବିରୋଧୀ ମନୋଭାବ ବିରୁଦ୍ଧରେ ଏହି ନିର୍ବାଚନରେ ବିପୁଳ ପରିମାଣରେ ମତଦାନ କରିବେ । ଆମେ ନିଶ୍ଚିତ ଭାବେ ଗତ ଦୁଇଟି ନିର୍ବାଚନରୁ ଅଧିକ ପରିମାଣର ଭୋଟ୍ ବ୍ୟବଧାନରେ ବିଜୟୀ ହେବୁ ବୋଲି କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ଦୃଢ଼ତାର ସହ କହିଥିଲେ । ଶୋଭାଯାତ୍ରାରେ ବଲାଙ୍ଗିର ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର ଜିଲ୍ଲାପାଳ କାର୍ଯ୍ୟାଳୟରେ ଏବଂ ଲୋଇସିଂହା ବିଧାୟକ ପ୍ରାର୍ଥୀ ଓମ୍ପ୍ରକାଶ କୁମ୍ଭାର ଏଡିଏମ୍ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସ୍ଥାନୀୟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ଏକ ବିରାଟ ଜନସମୁଦ୍ର ସହ ମନୋଜ ମିଶ୍ର ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ଦାଖଲ କରିସାରିବା ପରେ ମନୋଜ କହିଥିଲେ ଯେ, ପଶ୍ଚିମ ଓଡିଶାର ଯୁବକ ଆଜି ସରକାରଙ୍କ ବୈମାତୃକ ମନୋଭାବ ଦ୍ୱାରା ଉତ୍ପୀଡିତ ଏବଂ ଅତ୍ୟାଚାରିତ । ଏବେ ସମୟ ଆସିଛି ଆମ ଅଞ୍ଚଳର ଯୁବକମାନେ ସରକାରଙ୍କ ବିରୁଦ୍ଧରେ ଏକ ହୋଇ ଲଢ଼େଇ କରିବେ । ମୁଁ ଦୃଢ଼ ନିଶ୍ଚିତ ଜୟ କୋଶଲ ନାରା ଦ୍ୱାରା କେବଳ ଉତ୍ଫୁଲ୍ଲିତ ନହୋଇ ଆମ ଅଞ୍ଚଳର ଛାତ୍ର, ଯୁବକ ଓ ସାଧାରଣ ଜନତା ଯଦି ରାଜରାସ୍ତାକୁ ଚାଲି ଆସିବେ ଦେଖିବେ ସରକାର ଦୋହଲି ଯିବ । ଲୋଇସିଂହା ଆସନ ପ୍ରାର୍ଥୀ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏଇ ନାମାଙ୍କନ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସରେ ପହଂଚିବା ପରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ରଖି କହିଥିଲେ ଯେ, ପଶ୍ଚିମ ଓଡିଶାବାସୀଙ୍କ ମୁଖ୍ୟମନ୍ତ୍ରୀ ବାରମ୍ବାର ପ୍ରତାରିତ କରିଛନ୍ତି । ପଦ୍ମପୁର ଉପନିର୍ବାଚନ ହେଉ କି ଝାରସୁଗୁଡା ଉପନିର୍ବାଚନ ହେଉ ଉଭୟ ସ୍ଥାନରେ ସେ କହିଥିଲେ ଯେ, ଏଇ ନିର୍ବାଚନୀ ମଣ୍ଡଳୀ ଦାୟିତ୍ୱ ମୋର । କିନ୍ତୁ ପରିତାପର ବିଷୟ ନିର୍ବାଚନ ପରେ ସେ ଅଞ୍ଚଳକୁ ସେ ଆଉ ଆଡ ଆଖିରେ ବି ଦେଖିନାହାନ୍ତି । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ସେ ସମ୍ପୂର୍ଣ୍ଣ ଓହରି ଯାଇ ଲୋକଙ୍କୁ ପ୍ରତାଡିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ ।
