ଶ୍ରାବଣ ତୃତୀୟ ସୋମବାର ପାଇଁ ହରିଶଙ୍କର ପାଲଟିଛି ଜନସମୁଦ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଭୋଳାବାବାଙ୍କ ପ୍ରିୟ ମାସ ଓ ପ୍ରିୟ ବାରରେ ତାଙ୍କୁ ଜଳାଭିଷେକ କରିବା ଲାଗି ପବିତ୍ର ଶୈବପୀଠ ହରିଶଙ୍କର ଠାରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି । ସତେ ଯେମିତି ହରିଶଙ୍କର ପାଲଟିଛି ଜନସମୁଦ୍ର । କାଉଡିଆମାନେ କାନ୍ଧରେ ବାହୁଙ୍ଗି ଧରି ବିଳମ୍ବିତ ରାତିରୁ ମନ୍ଦିରରେ ଲମ୍ବା ଲାଇନ ଲଗାଇଛନ୍ତି । ଅତି ନିଷ୍ଠାର ସହ ଚାଲିଛି ପୂଜାର୍ଚ୍ଚନା । ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଗଗନ ପବନ । ଧାର୍ମିକ ମାନ୍ୟତା ଅନୁଯାୟୀ, ଶ୍ରାବଣର ମାସରେ ଶିବଶଙ୍କର ପୃଥିବୀରେ ବାସ କରିଥାନ୍ତି । ଯେଉଁଥିପାଇଁ ଭକ୍ତମାନେ ମାନସିକ କରି ଶ୍ରାବଣ ମାସରେ ଭଗବାନ ଶିବଙ୍କର ପୂଜା ଓ ଜଳାଭିଷେକ କରିଥାନ୍ତି । ଏହାଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଚଳିତ ବର୍ଷ ଶ୍ରାବଣ ମାସରେ ୫ଟି ସୋମବାର ପଡୁଛି । ଆଜି ତୃତୀୟ ସୋମବାର । ଆଜି ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଅନ୍ୟପଟେ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲେ ମଧ୍ୟ ଲୋକଙ୍କ ପ୍ରବଳ ଭିଡ଼ ପାଇଁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ଆଗକୁ ଆହୁରି ଦୁଇଟି ସୋମବାର ଥିବାରୁ ପୋଲିସ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁ ମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.