jayashree

ସତ୍ୟବାଦୀ ସ୍ୱାଇଁ ନିଜର ସତ୍ୟନିଷ୍ଠ କର୍ମ ପାଇଁ ଜନମାନସରେ ସ୍ମରଣୀୟ ରହିବେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସତ୍ୟବାଦୀ ସ୍ଵାଇଁ ଜଣେ ସ୍ପଷ୍ଟବାଦୀ, ପରୋପକାରୀ, ସୁସମାଜସେବୀ, ଶିକ୍ଷା ପ୍ରେମୀ, ଶାନ୍ତି କାମୀ, କୃଷି ଓ କୃଷକପ୍ରେମୀ, ସର୍ବୋପରି ସୁସ୍ଥ ସାମାଜିକ ଚେତନା ଓ ଭାବନାର ଜଣେ ସୁଦୂରପ୍ରସାରୀ, ସତ୍ୟନିଷ୍ଠ, ନିର୍ଭୀକ, ଜାଗ୍ରତ ଚିନ୍ତକ ଭାବେ ସେ ଜନମାନସରେ ଚିରକାଳ ଚିରସ୍ମରଣୀୟ ହୋଇ ରହିବେ ଏବଂ ତାଙ୍କ ଭଳି ସଚ୍ଚୋଟ, ସ୍ଵତନ୍ତ୍ର ମଣିଷମାନଙ୍କର ଆଜିର ସମାଜରେ ଆବଶ୍ୟକତା ରହିଛି ବୋଲି ଡେଲାଙ୍ଗ ବ୍ଲକ୍ ଜେନାପୁର ଗ୍ରାମ ପଞ୍ଚାୟତ ଅଧୀନ ହାକପଡା ଗ୍ରାମରେ ଅନୁଷ୍ଠିତ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିମାନେ ମାର୍ଗଦର୍ଶୀ ମତବ୍ୟକ୍ତ କରିଛନ୍ତି । ପରିବାରବର୍ଗ, ବନ୍ଧୁ ପରିଜନ ଓ ସମାଜସେବୀଙ୍କ ସମ୍ମିଳୀତ ସହଯୋଗରେ ଅନୁଷ୍ଠିତ ଏହି ଶ୍ରାଦ୍ଧୋତ୍ସବରେ ଡେଲାଙ୍ଗ ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଦସ୍ୟ ପ୍ରସନ୍ନ କୁମାର ସାହୁ ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ ସ୍ୱାଇଁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଉତ୍ସବରେ ପୂର୍ବତନ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ପ୍ରାକ୍ତନ ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ନାରୀନେତ୍ରୀ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଜାତୀୟ କଂଗ୍ରେସ ନେତା ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିଶ୍ୱକେତନ ହରିଚନ୍ଦନ, ବରିଷ୍ଠ କୃଷକ ନେତା ଅଶୋକ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କ ସଚ୍ଚା ରାଜନୈତିକ ଜୀବନ, ଅତୀତର ପ୍ରେରଣା ଦାୟୀ ସାମାଜିକ ସାଙ୍ଗଠନିକ ଉଦ୍ୟମ ଓ ନେତୃତ୍ୱର ପ୍ରଶଂସା କରି ସୁସ୍ଥ ସମାଜ ଗଠନର ବାର୍ତ୍ତା ଦେଇଥିଲେ । ପ୍ରାକ୍ତନ ସମବାୟ ବ୍ୟାଙ୍କ ମ୍ୟାନେଜର ନିତ୍ୟାନନ୍ଦ ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଗଦାଧର ପ୍ରଧାନ ପ୍ରମୁଖ ଯୋଗଦେଇ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଭାବେ ସ୍ୱର୍ଗତ ସ୍ଵାଇଁଙ୍କ କୃଷି କୃଷକଙ୍କର ଉନ୍ନତି କଳ୍ପେ ଜୀବିକା ପ୍ରଦାନରେ ତାଙ୍କର ଅବଦାନ ସ୍ମରଣୀୟ ବୋଲି କହିଥିଲେ । ପ୍ରବଚକ ଶରତ ରାଉତ, ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁସାହିତ୍ୟିକ କବି ସୂର୍ଯ୍ୟ ମିଶ୍ର, କବି ଡଃ. ପ୍ରଭାସ ପ୍ରଧାନ, ରୋହିତ ଚମ୍ପତ୍ତି, ଶିକ୍ଷାବିତ୍ ବିଭୁତି ଭୂଷଣ ହୋତା, ପ୍ରଶାନ୍ତ ମହାରଣା, ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ ପ୍ରଧାନ ସେମାନଙ୍କର ଆଧ୍ୟାତ୍ମିକ ଅଭିଭାଷଣ ଓ କବିତା ମାଧ୍ୟମରେ ତାଙ୍କର ସତ୍ ସମାଜସେବାକୁ ମନେପକାଇ ଜୀବନ ଦର୍ଶନ ଓ ମାନବ ଧର୍ମ ଉପରେ ଆଲୋକପାତ କରିଥିଲେ । ସଭାରେ ସ୍ଵର୍ଗତ ସ୍ଵାଇଁଙ୍କ ସୁପୁତ୍ର ଶିଶୁ ମନ୍ଦିର ଗୁରୁଜୀ ସୁସାନ୍ତ ସ୍ୱାଇଁ ଓ ପରିବାର ବନ୍ଧୁଙ୍କ ତରଫରୁ ପ୍ରସ୍ତୁତ ପୁସ୍ତକ “ସଂଗ୍ରାମୀଙ୍କ ମହା ସଂଗ୍ରାମ ପୁସ୍ତକ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପୂର୍ବତନ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ହାକପଡା ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦ୍ୟାଳୟର ଗତ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ଛାତ୍ରୀ ମୋନାଲିସା ମହାରଣା, ସେହି ବିଦ୍ୟାଳୟରୁ ଅବସର ନେଇଥିବା ପ୍ରଧାନ ଶିକ୍ଷକ ତଥା କବି ବିଭୁତି ଭୂଷଣ ହୋତା, ବେରବୋଇ ଗାନ୍ଧୀ କମିଟିର ସଭାପତି କୁନ୍ତଳା ବିଶ୍ୱାଳ, କମିଟିର ସମ୍ପାଦକ ତଥା ସାମ୍ବାଦିକ ଚନ୍ଦ୍ର ଶେଖର ବିଶ୍ୱାଳ, କସ୍ତୁରବା କେନ୍ଦ୍ର ସଂଚାଳିକା କବିତା ରାଣୀ ପରିଡ଼ା, ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ, ପୁରୀର ଶିଶୁ ମନ୍ଦିର ଶିକ୍ଷୟିତ୍ରୀ ମନୋରମା ଉପାଧ୍ୟାୟ, ମମତା ଶ୍ରୀଚନ୍ଦନଙ୍କ ସମେତ ପ୍ରାକ୍ତନ ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚର ସବୁ କାର୍ଯ୍ୟକ୍ରମକୁ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ଶୃଙ୍ଖଳାର ସହ ସଂଯୋଜନା ଓ ସୁପରିଚାଳନା କରିଥିଲେ । ଏଥିରେ ସମାଜସେବୀ ନବଘନ ପ୍ରଧାନ, ବିଭିନ୍ନ ପଞ୍ଚାୟତର ପୂର୍ବତନ ସରପଂଚ ଗୌରାଙ୍ଗ ସାହୁ, ଦୁର୍ଯ୍ୟୋଧନ ସାହୁ, ବିପିନି ନରେନ୍ଦ୍ର, ପ୍ରଦୀପ ତାଡ଼, ଆଇନଜୀବୀ ସୁକାନ୍ତ ପ୍ରଧାନ, ଦାମୋଦର ପ୍ରଧାନ, ସାମ୍ବାଦିକ ଶୁଭରଜୋତି ବଳିୟାର ସିଂହ, ଅବସର ସରକାରୀ କର୍ମଚାରୀ ଗଦାଧର ଜେନା ଜେନାମଣି, ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ଅନନ୍ତ ସାହୁ, ପ୍ରଧାନ ଶିକ୍ଷକ ବସନ୍ତ ଦାସ, ଶିକ୍ଷକ ଦିଲିପ ନାୟକ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ସ୍ୱାଇଁଙ୍କ ସ୍ମୃତିକୁ ମନେ ପକାଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପତ୍ନୀ ସତ୍ୟଭମା, ପୁତ୍ର ତପନ, ଶାନ୍ତନୁ, ସୁସାନ୍ତ, ପୁତ୍ରବଧୂ ଅନସୂୟା, ରୋଜାଲିନ, ସୁଜାତା, କନ୍ୟା ସନ୍ଧ୍ୟା, ସୁପ୍ରଭା, ଅଙ୍ଗନବାଡ଼ି ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ପରିଚାଳନାରେ ଜାମାତା ପ୍ରମୋଦ ସାହୁ, ଆଦର୍ଶ ଛାତ୍ରୀ ସୌମ୍ୟା ଶୁଭସ୍ମିତା, ଅନନ୍ୟ, ଆଦ୍ୟାଶା, ତପସ୍ଵିନୀ ସ୍ଵାଇଁ, ଛାତ୍ର ଅଂଶୁମାନ ସ୍ୱାଇଁ, ଆଶୀଷ ଜେନା ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରକାଶ ଥାଉକି ସ୍ୱର୍ଗତ ସ୍ଵାଇଁ ଜେନାପୁର ଗ୍ରାମ ପଞ୍ଚାୟତରେ ହାକପଡା ଚନ୍ଦ୍ରଶେଖର ଦେବ ହାଇସ୍କୁଲର ପ୍ରତିଷ୍ଠା, କ୍ଷେତ୍ରପାଳ ମଇ ବିଦ୍ୟାଳୟ ଗଢିତୋଳିବା, ଜେନାପୁର ଗ୍ରାମ ପଞ୍ଚାୟତରେ ୭୦ ଦଶକରେ ସରପଞ୍ଚ ହୋଇ, ଅଶୀ ଦଶକରେ ଦୁଇ ଥର ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପଦବୀ ଅଳଙ୍କୃତ କରି ଏବଂ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଭାବେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ଓ କୃଷି ସମେତ ଅନେକ ଜନହିତକର କାର୍ଯ୍ୟ କରି ଅଞ୍ଚଳବାସୀଙ୍କ ପ୍ରିୟ ଭାଜନ ହୋଇଥିଲେ । ଡେଲାଙ୍ଗର ସ୍ୱର୍ଗତ ମାଗୁଣି ସାହୁ, ରେଞ୍ଚର ଭଜମନ ତାଡ଼ ଓ ଅନ୍ୟମାନଙ୍କ ସହ ମିଶି ଅଞ୍ଚଳ ହିତ ପାଇଁ କାମ କରୁଥିଲେ । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁତ୍ର ଓ ବନ୍ଧୁମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ । କଳାକାର ସାରଦା ପ୍ରଧାନ ଓ ପୁରୀ ଘୋଡ଼ା ବଜାର ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ ପ୍ରଧାନ ଏବଂ ତାଙ୍କ ଗୋଷ୍ଠୀଙ୍କ ଦ୍ୱାରା ମନଛୁଆଁ ଭଜନ ପରିବେଷଣ କରାଯାଇଥିଲା । ପାଖ ପଡୋଶୀ ଓ ଦୂର ଦୂରାନ୍ତରୁ ଅନେକ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ମହାପ୍ରସାଦରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା ।

Leave A Reply

Your email address will not be published.