jayashree

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଏହି କ୍ରମରେ ଆଇଆଇଏମ ସମ୍ବଲପୁର ସହଯୋଗରେ ଦେବଗଡ଼ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ଗଣଦୌଡ଼ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ ପ୍ଲାକାର୍ଡ଼ ଧରି ଭାରତ ଜି-୨୦ ଅଧ୍ୟକ୍ଷତାକୁ ଜନସଚେତନତା ସୃଷ୍ଟି କରିଥିଲେ ।
ଅନ୍ୟପଟେ ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ମିନି-ମାରାଥନ ଅନୁଷ୍ଠିତ ହୋଇଥିଲା । ଏଥିରେ ଏନଆଇଟି ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ସେହିପରି ଏନଆଇଟି ପରିସରରେ ‘ଜାତୀୟ ଉଦ୍ୟମିତା ଶିଖର ସମ୍ମିଳନୀ ୨୦୨୩’ ଆଜି ଉଦଘାଟିତ ହୋଇଯାଇଛି । ଜି-୨୦ ଜନଭାଗିଦାରୀର ଅଂଶବିଶେଷ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଉରକେଲା ମହାନଗର ଉପ ଆୟୁକ୍ତ ରୋନିତ କୁମାର ଉଦଘାଟନ କରିଥିଲେ । ଏହି ସମ୍ମିଳନୀରେ ଉଦ୍ୟୋଗୀମାନଙ୍କୁ ଭାରତର ଜି-୨୦ ଅଧ୍ୟକ୍ଷତାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ଉପରେ ସଚେତନ କରାଯାଇଥିଲା ।

ସେହିପରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି ପକ୍ଷରୁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ କ୍ରିକେଟ, ଭଲିବଲ ଖେଳ ଅନୁଷ୍ଠିତ ହୋଇଥିଲା ।
ଭୁବନେଶ୍ୱରସ୍ଥିତ ସିପେଟ୍ ଆଇପିଟି ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.