ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ସଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଜୟଶ୍ରୀ ଭଇଁଶାଲଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଭଇଁଶାଲ, ଏପିଓ ପ୍ରଶାନ୍ତ ସାହୁ, ବିଏସ୍ଏସ୍ଓ କନିସ୍କ ବିଭାରଙ୍କ ସହ ବିଭିନ୍ନ ବିଭାଗର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପଞ୍ଚାୟତ ଅଧୀନ ଦୁଇଟି ଗ୍ରାମର ୬୧୦ ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଦରଖାସ୍ତ ଦେଇ ଥିବାବେଳେ ୧୩୦ ଜଣ ବାର୍ଦ୍ଧକ୍ୟ ଭତ୍ତା, ୧୨୫ ଜଣ ରାସନ କାର୍ଡ, ବସୁନ୍ଧରା ଯୋଜନା ପାଇଁ ମଧ୍ୟ ବହୁ ସଂଖ୍ୟାରେ ଆବେଦନ କରିଥିବା ଜଣାପଡିଛି । ଏହି ଅବସରରେ ଇଓ ବାହୁ ବଳେନ୍ଦ୍ର ପୁରୋହିତ, ନାଏବ ସରପଞ୍ଚ ନୀଳମଣି ବେହେରା, ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।