centurian jitm

ଦେଓଗାଁ ଅଞ୍ଚଳରେ ଘନଘନ ବିଦ୍ୟୁତ୍ କାଟ୍‌ : ଜନ ଅସନ୍ତୋଷ ବୃଦ୍ଧି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଏବେ ଗ୍ରୀଷ୍ମର ରାଜୁତି । ସଂଧ୍ୟା ପର୍ଯ୍ୟନ୍ତ ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ଲକ୍ଷ୍ୟ କରାଯାଇଛି । କେବଳ ଗରମ ନୁହେଁ ବିଦ୍ୟୁତର ଲୁଚକାଳି ଖେଳ ଅସହ୍ୟ କରିସାରିଲାଣି । ଘନଘନ ବିଦ୍ୟୁତ କାଟ୍‌ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଲାଇନ୍ ଗଲେ ଘଣ୍ଟା ଘଣ୍ଟା ଧରି ଲୋକେ କଲବଲ ହେଉଥିବା ଦେଖିବାକୁ ମିଳୁଛି । ତାହା ପୁଣି ଦିନ ଓଳି । ବାହାରେ ଗରମରେ ସିଝୁଥିବା ବେଳେ ଏପଟେ ଘରେ ବିଦ୍ୟୁତ ଯନ୍ତ୍ରଣାରୁ ଲୋକଙ୍କୁ ଆଉ ତ୍ରାହି ନାହିଁ । ଦେଓଗାଁ ଅଞ୍ଚଳରେ ଅସହ୍ୟ ହେଲାଣି ଲାଇନ୍ କାଟ୍‌ । ଲାଇନ୍ କାଟ୍‌ ଯୋଗୁଁ ଲୋକେ ଦିନରେ ଯେତିକି ଅସୁବିଧା ଭୋଗୁଛନ୍ତି, ରାତିରେ ତା ଠାରୁ ଅଧିକ । ଦିନରେ ଖରାର ତାତି ରାତିରେ ଫାପ ଉଠିବା ପରେ ବିଦ୍ୟୁତ୍ କାଟ ଯୋଗୁଁ ରାତି ତମାମ ଉଜାଗର ରହିବାକୁ ପଡୁଥିବା ସ୍ଥାନୀୟ ଲୋକେ ମତ ଦେଉଛନ୍ତି । ବିଦ୍ୟୁତ କର୍ମଚାରୀଙ୍କୁ ପଚାରିଲେ ବିଭିନ୍ନ ପ୍ରକାର ଯନ୍ତ୍ରାଂଶ ସମସ୍ୟା ଜଣାଉଥିବା ବେଳେ ଖରାର ପ୍ରକୋପ ଯୋଗୁଁ ଅସୁବିଧାକୁ ସହଜରେ ଗ୍ରହଣ କରିପାରୁନାହିନ୍ତିି ଜନସାଧାରଣ । ଏଥିପାଇଁ ସରକାରଙ୍କୁ ଦାୟୀ କରାଯିବା ସହ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଲୋକେ ହଇରାଣ ହେଉଛନ୍ତି ବୋଲି ଆଲୋଚନା ହେଉଛି । କେବଳ ଖରାଦିନେ ଏଭଳି ବିଦ୍ୟୁତ କାଟ୍‌ କାହିଁକି ବୋଲି ଏବେ ପ୍ରଶ୍ନ ଉଠୁଛି । ଗ୍ରୀଷ୍ମ ଋତୁରେ ଅଧିକ ବିଦ୍ୟୁତ୍ ବ୍ୟବହାର ହେଉଥିବାରୁ ଏଭଳି ଅସୁବିଧା ବିଭିନ୍ନ ସମୟରେ ହେଉଛି ବୋଲି ଜଣାପଡ଼ିଥିବା ବେଳେ ପୂର୍ବରୁ ଠିକା ସଂସ୍ଥା ତଥା ବିଭାଗୀୟ ଅଧିକାରୀମାନେ ତଦନୁଯାୟୀ ପଦକ୍ଷେପ ନେଇ ଅସୁବିଧାର ସମାଧାନ କରିବା ଉଚିତ୍ ବୋଲି ହିତାଧିକାରୀମାନେ ଦାବି କରୁଛନ୍ତି । ଗତ କିଛି ଦିନ ହେଲା ଦେଓଗାଁ ଅଞ୍ଚଳରେ ଦିନ ବେଳା ଖରାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପ୍ରତ୍ୟହ ସନ୍ଧ୍ୟାରେ ଝଡ଼ ତୋଫାନ ହେଉଛି । ଫଳରେ ବିଦ୍ୟୁତ୍ ସରବରାହ ନିୟମିତ ଭାବେ ବନ୍ଦ ରହୁଛି । ଫଳରେ ଘର ବାହାରେ ଖରାର ପ୍ରକୋପ ଏବଂ ଘର ଭିତରେ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

Leave A Reply

Your email address will not be published.