
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ସାଙ୍ଗରେ ଥୁଆମୂଳ ରାମପୁର ବ୍ଲକକୁ ସଂଯୋଗ କରୁଥିବା ଇନ୍ଦ୍ରାବତୀ ପ୍ରକଳ୍ପର ମହୁଲପାଟଣା ଘାଟି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏବେ ବିଭିନ୍ନ ମହଲରୁ ଯନ୍ତ୍ରୀ ମାନଙ୍କୁ ସରବ୍ୟ ହେବାକୁ ପଡୁଛି । ଘାଟି ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ସହିତ ବିନିଯୋଗ ହେଉଥିବା ସାମଗ୍ରୀ ଉପରେ ଲୋକେ ପ୍ରଶ୍ନ ଉଠାଉଥିବା ବେଳେ ଏହା ଉପରେ ଏକ ବିଧିବଦ୍ଧ ତଦନ୍ତ ପାଇଁ ଦାବୀ ହେଉଛି । ଇନ୍ଦ୍ରାବତୀ ପ୍ରକଳ୍ପ କାମ ପୂର୍ଣ୍ଣାଙ୍ଗ ହେବା ପରେ ଦୁଇ ବ୍ଲକର ସଂଯୋଗ ସହିତ ପ୍ରକଳ୍ପର ଶକ୍ତି ଗୃହ, ପେନ୍ ଷ୍ଟକ୍, ସର୍ଜ୍ ସାଫ୍ଟ, ଇଣ୍ଟେକ୍ ୱେଲ, ମୁଖ୍ୟବନ୍ଧକୁ ସଂଯୋଗ କରୁଥିବା ଏହି ସଡକ ପ୍ରତି ସରକାରଙ୍କ ପରିଚାଳନାଗତ ତ୍ରୁଟି ଦେଖିବାକୁ ପଡ଼ିଲା । ଗମନାଗମନ ସହିତ ଜଳଭଣ୍ଡାର ପାଇଁ ବିସ୍ଥାପିତ ହୋଇଥିବା ଛଅଟି ପଞ୍ଚାୟତବାସୀଙ୍କୁ ମଧ୍ୟ କଷ୍ଟ ଉଠାଇବାକୁ ପଡ଼ିଲା । ପ୍ରକଳ୍ପ ସିନା ପୂର୍ଣ୍ଣାଙ୍ଗ ହୋଇ କାର୍ଯ୍ୟକ୍ଷମ ହେଲା କିନ୍ତୁ ଗତ ପଚିଶ ବର୍ଷ ମଧ୍ୟରେ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଲା । ବାରମ୍ବାର ଲୋକଙ୍କ ଅଭିଯୋଗ ଓ ଲାଞ୍ଜିଗଡ଼ ବିଧାୟକଙ୍କ ହସ୍ତକ୍ଷେପ ଫଳରେ କେନ୍ଦ୍ରୀୟ ଯୋଜନାର ଏକ ସ୍ଵତନ୍ତ୍ର ପାଣ୍ଠିରୁ ଆଠକୋଟି ଟଙ୍କା ବିନିମୟର ଟେଣ୍ଡର ଆହ୍ୱାନ କରାଯାଇ ଘାଟି କାର୍ଯ୍ୟ ଆରମ୍ଭ ହେଲା ବେଳକୁ କାର୍ଯ୍ୟର ସ୍ଥିତାବସ୍ଥାକୁ ନେଇ ଅନେକ ପ୍ରଶ୍ନ ଠିଆ ହେବାରେ ଲାଗିଲା । ଏ ସଂକ୍ରାନ୍ତରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକଙ୍କୁ ପଚାରିବାରୁ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଏବେ କେତେକ ସ୍ଥାନରେ ୧୦ଏମ୍ଏମ୍ ରଡ୍ ସହିତ ସିମେଣ୍ଟ କଂକ୍ରିଟ କରାଯିବ ବୋଲି ପ୍ରକାଶ କରିଥଲେ । ରାସ୍ତାରେ ବହୁଳ ପରିମାଣରେ ଭାରି ଯାନ ଯାତାୟାତ ସହିତ ପାହାଡ଼ ଉପରେ ବର୍ଷା ଜଳର ଖର ସ୍ରୋତ ରହୁଥିବାରୁ ବର୍ତ୍ତମାନର ଟେଣ୍ଡର ପ୍ରକ୍ରିୟା ସମାପ୍ତ ପରେ ଅନେକ କାମ ଆହୁରି ନକଲେ ଘାଟି ପ୍ରତି ମଧ୍ୟ ବିପଦ ଦେଖାଦେଇ ପାରେ ବୋଲି ପ୍ରକାଶ କରିଥଲେ । ବର୍ତ୍ତମାନ ସ୍ଥିତିରେ ନିୟୋଜିତ ସାମଗ୍ରୀ ଉପରେ ଲାଞ୍ଜିଗଡ଼ ବିଧାୟକଙ୍କ ଆପତ୍ତି କ୍ରମେ ସାମଗ୍ରୀ ଗୁଡ଼ିକୁ ପରୀକ୍ଷଣ ପାଇଁ କ୍ୱାଲିଟି କଣ୍ଟ୍ରୋଲ ବିଭାଗକୁ ପଠାଯାଇଛି ବୋଲି ପ୍ରକାଶ କରିଥଲେ । ଏହି ସଡକ ଉପରେ ଅଞ୍ଚଳର ହଜାର ହଜାର ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୀତି ନିର୍ଭର କରୁଥିବା ବେଳେ ଏହାର ସୁପରିଚାଳନା ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।