ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସଦର ବିଦ୍ୟୁତ୍ ସବ-ଡିଭିଜନ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତରେ ଶନିବାର ଅପରାହ୍ନ ୪ଘଣ୍ଟା ୩୦ ମିନଟ୍ ଠାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ପ୍ରକାଶ ଥାଉକି, କୌଣସି ଅସୁବିଧା ବଶତଃ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ରାତ୍ର ୧୦ଘଣ୍ଟା ୪୫ ମିନଟ୍ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନଥିଲା । ଫଳରେ ପୋଡ଼ାପଦର ପଞ୍ଚାୟତର କୁମାରବେଗପଲ୍ଲୀ ଗ୍ରାମ, ହୁମର ଓ ପୋଡ଼ାପଦର, କରପଡା, ଆଲିଆବାଦ ଗ୍ରାମ ଠାରୁ ବଉଳ ଗାଁ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ଜଣାଯାଇଛି । ଗ୍ରାମରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏଣେ ମାଟ୍ରିକ ପରୀକ୍ଷା ଚାଲିଥିବା ସମୟରେ ଅଗଣିତ ବିଦ୍ୟାର୍ଥୀ ମାନେ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ହେଉଥିବାରୁ ପିଲାମାନେ ପାଠପଢ଼ାରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ସଙ୍ଗୀନ ଅଭିଯୋଗ ହୋଇଛି । ଶନିବାର ବିଳମ୍ବିତ ରାତ୍ରୀ ୧୦ଘଣ୍ଟା ୪୫ ମିନଟ୍ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ଥିଲା । କୌଣସି ମତେ ଜରୁରୀ କାଳୀନ ଭାବେ ବିଚ୍ଛିନ୍ନତାରୁ ବିଦ୍ୟୁତ ସଂଯୋଗ କରାଯାଇପାରିନଥିବା ଏକ ବିଡମ୍ବନାର ବିଷୟ ହୋଇଥିଲା । ସୂଚନା ଯୋଗ୍ୟ ଯେ’ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଏଵଂ ବିଦ୍ୟୁତ ସଂଯୋଗ କାଟିବା ଦିଗରେ ବିହିତ ସଦୁପଯୋଗ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବିଦ୍ୟୁତ୍ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଚିଠି ଲେଖି ଜଣାଇଥିଲେ । ତେବେ ବିଦ୍ୟୁତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏହି ଅବହେଳା ପ୍ରଦର୍ଶନ ନେଇ ଜନସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି । ଗ୍ରାମାଞ୍ଚଳ ପ୍ରତି ବିଦ୍ୟୁତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅବହେଳା ପ୍ରଦର୍ଶନ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଆଗମୀ ଦିନରେ ଏଭଳି ଅସୁବିଧା ଘଟିଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି ।