ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ନିଜ ବାପାକୁ ଜିଅନ୍ତା ଜାଳି ଦେଲା ପୁଅ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ନିଜ ବାପାକୁ ଜିଅନ୍ତା ଜାଳି ଦେଲା ପୁଅ । ଟିଟିଲାଗଡ଼ ଥାନା ଦର୍ଲା ଗାଆଁରେ ଘଟିଛି ଏଭଳି ଏକ ଅମାନବୀୟ ଘଟଣା । ଜମିବାଡ଼ି ବିବାଦରୁ ଜଣେ ଯୁବକ ନିଜର ବାପାକୁ ଜିବନ୍ତ ଜାଳି ଦେବା ଘଟଣା ଏବେ ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଘଟାଇ ଫେରାର ମାରିଛି ହତ୍ୟାକାରୀ ପୁଅ । ସୂଚନା ଅନୁଯାୟୀ ଦର୍ଲା ଗ୍ରାମର ଗୋପୀନାଥ ଭରାସାଗର ଦୁଇଟି ବିବାହ କରିଥିଲେ, ତେବେ ପରିବାରରେ ଦୀର୍ଘ ଦିନ ହେଲା ଜମି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଅନ୍ୟଦିନ ଭଳି ମଙ୍ଗଳବାର ଅପରାହ୍ନରେ ନିକଟ ଯୋର୍‌କୁ ଗାଧୋଇବାକୁ ଯାଇଥିଲେ ଗୋପୀନାଥ । ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ପ୍ରଥମ ସ୍ତ୍ରୀଙ୍କ ପୁଅ ମୋହନ ଭରାସାଗର ବାପାକୁ ହତ୍ୟା କରିବାକୁ ଯୋଜନା କରିଥିଲା । ଗୋପୀନାଥଙ୍କୁ ଏକୁଟିଆ ଦେଖି ପ୍ରଥମେ ଠେଲି ଦେଇଥିଲା, ଗୋପୀନାଥ ପଡ଼ିଯିବା ପରେ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଗୋପୀନାଥ ଛଟ ପଟ ହୋଇ ଚିତ୍କାର କରୁଥିଲେ ହେଁ କେହି ଶୁଣି ପାରି ନଥିଲେ । ପରେ ସେହି ବାଟ ଦେଇ ଯୋର୍‌କୁ ଯାଉଥିବା ସ୍ଥାନୀୟ ଲୋକେ ଗୋପୀନାଥଙ୍କୁ ଦେଖି ଉଦ୍ଧାର କରି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ, ଡାକ୍ତର ଗୋପୀନାଥଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଦ୍ୱିତୀୟ ସ୍ତ୍ରୀର ପୁଅ ହୀରା ଭରାସାଗର ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟିଟିଲାଗଡ଼ ପୋଲିସ ଶବ ଜବତ କରିଛି, ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି । ଘଟଣାସ୍ଥଳକୁ ଥାନାଧିକାରୀ ଅବନୀ ସାହୁ ଓ ପୋଲିସ ବଳ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.