ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ‘ଦେଓ ଓ ସୁବର୍ଣ୍ଣରେଖା’ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହା ସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ମୟୁରଭଞ୍ଜର ରାସଗୋବିନ୍ଦପୁରସ୍ଥିତ ଟିକପଦାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନଜାତି ଭାଇଭଉଣୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ସୁଫଳ ଦେବା ଆରମ୍ଭ କରିଛି । ଶିକ୍ଷା ଓ ରୋଜଗାର ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ବହୁତ ଆଗକୁ ଯାଇପାରିଛି । ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ୱାରା ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୧୭,୧୨୧ ହେକ୍ଟର ଅତିରିକ୍ତ ଚାଷ ଜମି ପାଇଁ ଜଳସେଚନର ସୁବିଧା ମିଳିବ । ଏହା ଦ୍ୱାରା ଉଭୟ ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ । ଏଥିପାଇଁ ୬୮୫ କୋଟି ଟଙ୍କା ବିନିଯୋଗ କରାଯାଇଛି । ଏହାଦ୍ୱାରା ସମୁଦାୟ ୭୦ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ଦେଓ ଜଳସେଚନ ପ୍ରକଳ୍ପ ଦ୍ୱାରା ମୟୁରଭଞ୍ଜର ପ୍ରାୟ ୧୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବା ସହିତ ଏହାଦ୍ୱାରା ୧୦୦ଟି ଗାଁର ଦୁଇ ଲକ୍ଷ ଲୋକ ଉପକୃତ ହେବେ । ଏଥିପାଇଁ କରଞ୍ଜିଆ ବ୍ଲକ୍‌ର ହାତୀବାରି ଠାରେ ୮୨୩ କୋଟି ଟଙ୍କାରେ ଦେଓ ନଦୀ ଉପରେ ୧୨୮୦ ମିଟର ଦୈର୍ଘ୍ୟର ଏକ ବନ୍ଧ ନିର୍ମାଣ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.