ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ : ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର : ସାରା ଓଡ଼ିଶାରେ ଏବେ ଭିଜିଲାନ୍ସ ବିଭାଗ ଏକ୍‌ଟିଭ୍‌ ମୋଡ଼୍‌ରେ ରହିଥିବା ବେଳେ ଦୁର୍ନୀତିଖୋର୍‌ ଅଧିକାରୀଙ୍କ ଭିତରେ ଛନକା ପଶିଯାଇଛି । ବେଆଇନ୍‌ ଭାବେ ଗଦା ଗଦା ସଂପତ୍ତି ଠୁଳ କରିଥିବା ଅଧିକାରୀଙ୍କ ନିଦ ହଜାଇ ଦେଇଛି ଓଡ଼ିଶା ଭିଜିଲାନ୍ସ ବିଭାଗ । ଲଗାତାର ଭାବେ ମାଳ ମାଳ ଦୁର୍ନୀତିଖୋର୍‌ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଥିବା ବେଳେ ଆଜି ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ । ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍‌ ଚାଲିଛି । ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଚାଲିଛି ଘନ ଘନ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉ ଜାରି ରଖିଛି । କେନ୍ଦୁଝରର ପଣ୍ଡାପଡ଼ାସ୍ଥିତ ଶ୍ୱଶୁରଘର, ତେଲକୋଇସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର ଏବଂ ତାଳଚେରରେ ଏହି ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍‌ । ତେବେ ଚଢ଼ାଉ ଜାରି ରହିଥିବାରୁ ମୋଟ୍‌ ସମ୍ପତ୍ତିର ଆକଳନ ଏପର୍ଯ୍ୟନ୍ତ କରାଯାଇନାହିଁ । ପରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ରହିଛି । ଏହି ଚଢ଼ାଉରେ ୧୦ ଜଣ ଡିଏସ୍‌ପି, ୧୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ ସହଯୋଗୀ ଅଧିକାରୀ କର୍ମଚାରୀମାନେ ସାମିଲ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ତାଳଚେର ପୂର୍ବରୁ ଧରଣୀଧର କେନ୍ଦୁଝରରେ କାର୍ଯ୍ୟରତ ଥିଲେ । ସେ ତାଳଚେରରେ ପ୍ରାୟ ୨ ବର୍ଷ ହେବ ରହିଆସୁଛନ୍ତି ।

Leave A Reply

Your email address will not be published.