ଝାରମୁଣ୍ଡା ପଞ୍ଚାୟତରେ ଜଳଛତ୍ର ନାଁରେ ଲକ୍ଷାଧିକ ଟଙ୍କା ଚଳୁ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଖରାଦିନେ ସାଧାରଣ ପଥଚାରୀଙ୍କ ପାଇଁ ଖୋଲିଥିବା ଜଳଛତ୍ରରେ ପାଣି ଦେଉଥିବା ଶ୍ରମିକଙ୍କ ପାଉଣା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରାମ ପଞ୍ଚାୟତରେ । ଜଳଛତ୍ର ଖୋଲିବା ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଇ ଏଥିରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ସୂଚନା ମତେ, ଚଳିତ ଗ୍ରୀଷ୍ମଋତୁରେ ଝାରମୁଣ୍ଡା ପଞ୍ଚାୟତର ଲୁଚ୍‌କିବାହାଲ, ପର୍‌ଧିଆପାଲି, ଆମ୍‌ପାଲି ଓ ଝାର୍‌ମୁଣ୍ଡା ସଦର ଗାଁରେ ପଞ୍ଚାୟତ ପକ୍ଷରୁ ୪ଟି ଜଳଛତ୍ର ଖୋଲା ଯାଇଥିଲା । ଏଥିରେ ନିୟୋଜିତ ଶ୍ରମିକଙ୍କ ବ୍ୟାଙ୍କ୍ ଏକାଉଣ୍ଟରେ ପଞ୍ଚାୟତ ପାଣ୍ଠିରୁ ପ୍ରାପ୍ୟ ଜମା ଦିଆଯିବା କଥା । ତେବେ ଅତି ଚଞ୍ଚକତାପୂର୍ଣ୍ଣ ଭାବେ ଗତ ସେପ୍ଟେମ୍ବର ୮ ତାରିଖରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ହୁତାସନ ସୁନା ୬ଟି ଜଳଛତ୍ର ବାବଦକୁ ୧ ଲକ୍ଷ ୨୯ ହଜାର ୨୭୬ ଟଙ୍କା ପଞ୍ଚାୟତ ପାଣ୍ଠିରୁ ଉଠାଇଥିବା ଜଣାଯାଇଛି । ୪ଟି ଜଳଛତ୍ର ଖୋଲାଯାଇଥିବା ସ୍ଥଳେ ୬ଟି ଜଳଛତ୍ର ପାଇଁ ଟଙ୍କା ଉଠାଯାଇଛି । ଏଥିସହିତ ଜଳଛତ୍ରରେ ନିୟୋଜିତ ଶ୍ରମିକଙ୍କ ବ୍ୟାଙ୍କ ଜମାଖାତାରେ ପାଉଣା ଡିପୋଜିଟ୍‌ କରା ନଯାଇ ସିଧାସଳଖ ହାତାହାତି ସେମାନଙ୍କୁ ମାତ୍ର ୧୫ ହଜାର ଟଙ୍କା ଦିଆଯାଇ ବାକି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଆହୁରି ପ୍ରାୟ ୧୦ ହଜାର ଟଙ୍କା ପ୍ରାପ୍ୟ ବାକିଥିବା ନେଇ ଲୁଚ୍‌କିବାହାଲ ଗ୍ରାମର ଜଳଛତ୍ର ଖୋଲିଥିବା ଶ୍ରମିକ ଜୟଦେବ ଅଦାବରିଆ ଅଭିଯୋଗ କରିଛନ୍ତି । ଅଭିଯୋଗ ବାବଦରେ ନିର୍ବାହୀ ଅଧିକାରୀ ଶ୍ରୀ ସୁନାଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଧରାଛୁଆଁ ଦେଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଲୋଇସିଂହା ବିଡ଼ିଓ ଯୁଧିଷ୍ଠିର ମେହେରଙ୍କୁ ଏ ବାବଦରେ ପଚାରିବାରୁ ସେ କୌଣସି ଅଭିଯୋଗ ପାଇ ନାହାନ୍ତି, ଅଭିଯୋଗର ତଦନ୍ତ ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.