ବିଶ୍ୱାସଜନକ ସ୍ଥିତିରେ ଇନ୍ଦ୍ରାବତୀ ଜଳଭଣ୍ଡାର

ଜୟପାଟଣା, (ଶେଷଦେବ ବେହେରା) : ଚଳିତ ବର୍ଷର ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ ଅନେକ ଆଶଙ୍କା ସୃଷ୍ଟି କରିସାରିଥିବା ବେଳେ ଗତ କିଛିଦିନର ଲଗାଣ ବର୍ଷା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିବା ସହିତ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟ ଏକ ବିଶ୍ୱସନୀୟ ସ୍ଥିତିକୁ ପହଞ୍ଚିଥିବା ଦେଖିବାକୁ ମିଳିଛି । ଶନିବାର ସକାଳ ଆଠଟା ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୦.୩୦ ମିଟରକୁ ପହଞ୍ଚି ମୋଟ ଜଳ ଧାରଣ ୨୪.୩୪ ପ୍ରତିଶତକୁ ଛୁଇଁ ସାରିଥିବା ଜଣାପଡ଼ିଛି । ଜଳଭଣ୍ଡାରର ମୋଟ କ୍ଷମତା ୬୪୨ ମିଟର ରହିଥିବା ବେଳେ ଶନିବାର ସକାଳ ୮ଟା ସୁଦ୍ଧା ଗତବର୍ଷ ତୁଳନାରେ ୦.୫୧ ମିଟର ଅଧିକ ରହି ୬୩୦.୩୦ ମିଟରରେ ପହଞ୍ଚି ସାରିଥିବା ସୂଚନାରୁ ପ୍ରକାଶ ପାଇଛି । ଜଳଭଣ୍ଡାରରେ ସର୍ବାଧିକ ୧,୪୮, ୫୫୦ହେକ୍ଟର ମିଟର ଜଳ ଧାରଣର କ୍ଷମତା ରହିଥିବା ବେଳେ ଅଦ୍ୟାବଧି ୩୫, ୭୦୨ହେକ୍ଟର ମିଟର ଜଳ ଅର୍ଥାତ୍ ୨୪.୭୦୨ ପ୍ରତିଶତରେ ପହଞ୍ଚି ସାରିଥିବା କୁହାଯାଇଛି । ଇତି ମଧ୍ୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୬୦୭.୭୭୪ କ୍ୟୁ ବିକ୍‌ ମିଟର ଜଳ ପ୍ରବେଶ କରୁଥିବା ବେଳେ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪୦କୁମେକ୍ସ ପାଣି ପାୱାର ହାଉସକୁ ଛଡ଼ା ଯାଉଥିବା ଜଣାପଡ଼ିଛି । ଗତକାଲି ଜଳଭଣ୍ଡାରର ଉପର ମୁଣ୍ଡରେ ୭୭ ମିଲି ମିଟର ବର୍ଷ ରେକର୍ଡ କରାଯାଇଥିବା ବେଳେ ଜୟପାଟଣା ଅଞ୍ଚଳରେ ୬୫ ମିଲିମିଟର ବର୍ଷ ରେକର୍ଡ କରାଯାଇଛି । ଚଳିତ ଖରିଫ ଜଳ ସେଚନ ଜୁଲାଇ ୧୦ ତାରିଖ ଦିନ ଆରମ୍ଭ କରାଯାଇଥିବା ସମୟରେ ଗତବର୍ଷ ତୁଳନାରେ ଜଳଭଣ୍ଡାର ଦୁଇ ମିଟର ତଳେ ରହିଥିଲା । କିନ୍ତୁ ଶନିବାର ସକାଳ ୮ଟା ଗଣନା ବେଳକୁ ଗତବର୍ଷର ବ୍ୟବଧାନକୁ ପୂରଣ କରି ୦.୫୧ ମିଟର ଅଧିକ ପାଣି ଗଚ୍ଛିତ ହୋଇସାରିଥିବା ସୂଚନାରୁ ପ୍ରକାଶ । ଆଗାମୀ ଦିନରେ କିଛି ଭଲ ବର୍ଷା ହେଲେ ଜଳଭଣ୍ଡାରରୁ ଉଭୟ ଚାଷ ପାଇଁ ଅନୁକୂଳ ବାତାବରଣ ତିଆରି ହୋଇପାରିବ ବୋଲି ବିଭିନ୍ନ ମହଲରେ ଆତ୍ମ ସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.