centurian jitm

ଶିଳାନ୍ୟାସ କରି ଭୁଲି ଗଲେ ନେତା ବ୍ରିଜ ନିର୍ମାଣ କାମ, ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବୀରେ ଜଳ ସତ୍ୟାଗ୍ରହ କଲେ କୋଶଳ କମିଟି ଓ ଗ୍ରାମବାସୀ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗ୍ରାମାଞ୍ଚଳରେ ଅନେକ ଉନ୍ନତି ହେଉଥିବା ଡିମ୍‌ ଡିମ୍‌ ପିଟୁଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏବେବି ଏମିତି ଅନେକ ଗାଁ ରହିଛି, ଯେଉଁ ଗାଁକୁ ଭଲ ରାସ୍ତା ମଧ୍ୟ ନାହିଁ । ନିର୍ବାଚନ ଆସିଲେ ଅନେକ ନେତା ମନ୍ତ୍ରୀଙ୍କ ପାଦ ପଡିଥାଏ ଗାଁ ମଧ୍ୟରେ । ସେହି ସମୟରେ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇ ଥାଆନ୍ତି ନେତା ଓ ମନ୍ତ୍ରୀ । କିନ୍ତୁ ସେହି ପ୍ରତିଶ୍ରୁତି ପାଳନ ମଧ୍ୟ କରନ୍ତି ନାହିଁ, ଯାହା ଫଳରେ ବିବାଦରେ ସବୁବେଳେ ରହିଥାନ୍ତି ସ୍ଥାନୀୟ ବିଧାୟକ, ବିଧାୟିକା, ସାଂସଦ ତଥା ମନ୍ତ୍ରୀ ମାନେ । ତେବେ ଗତ ୨୦୧୯ ମସିହାରେ ତତ୍କାଳୀନ ବିଧାୟିକା ତଥା ବର୍ତ୍ତମାନ ଓଡ଼ିଶା ମହିଲା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ସମେତ ବିଜେଡିର ଶତାଧିକ କର୍ମୀଙ୍କ ଉପସ୍ଥିତରେ ନିର୍ବାଚନ ସମୟରେ ଶିଳାନ୍ୟାସ କରିଥିଲେ, ହେଲେ ଦୀର୍ଘ ଦୁଇ ବର୍ଷ ପରେ ମଧ୍ୟ ବ୍ରିଜ ନିର୍ମାଣ କାର୍ଯ୍ୟ ହେଲା ନାହିଁ । ଏହା ଫଳରେ ଆଜି କୋଶଳ ସମନ୍ୱୟ ସମିତିର ଯୁବକ ମାନେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତ ଓ ଧରପଗଡ଼ ପଞ୍ଚାୟତ ସୀମାନ୍ତରେ ଥିବା ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବୀ ନେଇ କରମତଲା ଓ ଧରପଗଡ଼ ପଞ୍ଚାୟତର ଲୋକେ ଜଳ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ପ୍ରାୟ ୭ଟି ଗ୍ରାମର ଲୋକେ ନଦୀ ପାଣିରେ ବସି ଧାରଣା ଦେଇଥିଲେ ।କରମତଲା ଓ ଧରପଗଡ଼କୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ କରମତଲା ମଧ୍ୟରେ ଏହି ନଦୀ ଉଭୟ ଅଞ୍ଚଳବାସୀଙ୍କୁ ଯୋଗାଯୋଗ ବିଛିନ୍ନ କରିଦେଇଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ କରି କରମତଲା ଅଞ୍ଚଳର ଜନସାଧାରଣ ସ୍କୁଲ, କଲେଜ ଓ ଟିଟିଲାଗଡ ଡାକ୍ତରଖାନା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି । ସେହିଭଳି କରମତଲା ଅଞ୍ଚଳର ଜନସାଧାରଣ ଅନେକ ସରକାରୀ ବେସରକାରୀ ତଥା ବ୍ୟବସାୟ କାର୍ଯ୍ୟ ପାଇଁ ଟିଟିଲାଗଡ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏହା ମଧ୍ୟରେ ଲାନ୍ଥ ନଦୀ ପ୍ରଭାବିତ ହେଉଥିବାରୁ ଯାତାୟତ କରିବାରେ ଅନେକ ସମସ୍ୟା ଲୋକେ ଭୋଗୁଛନ୍ତି । ବିଶେଷ କରି ବର୍ଷା ଦିନେ ୧୦ କିଲୋମିଟର ଦେଇ ଲୋକେ ସଇଁନ୍ତଲାକୁ ଯିବାକୁ ହେଲେ ଅନ୍ୟ ରାସ୍ତା ଦେଇ ଯିବାକୁ ପଡିଥାଏ । ଏହି ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ପାଇଁ ଅନେକ ଥର ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଅନେକ ନେତା ମନ୍ତ୍ରୀଙ୍କୁ ଅଞ୍ଚଳ ଲୋକେ ଗୁହାରି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବାରୁ ଆଜି ଜଳ ସତ୍ୟାଗ୍ରହ କରିବା ପାଇଁ ନିଷ୍ପତି ନେଇଥିଲେ । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ରହିଥିବା ବେଳେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁର ମଧ୍ୟ ଏଥିରେ ସାମିଲ ହୋଇଥିବା ବେଳେ ଦୀର୍ଘ ୧୦ ବର୍ଷ ତଳେ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ମଧ୍ୟ ଏଥିରେ ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ଦାବୀ କରିଥିବା ଶ୍ରୀଯୁକ୍ତ ଠାକୁର କହିଥିବା ବେଳେ ଦୀର୍ଘ ବର୍ଷର ସମସ୍ୟାକୁ ନେଇ ମନ୍ତ୍ରୀ ଟୁକୁନି ସାହୁ ଯଦି ସମାଧାନ କରି ପାରୁ ନାହାଁନ୍ତି ତେବେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ମଧ୍ୟ ମହେନ୍ଦ୍ର ଠାକୁର ଗଣମାଧ୍ୟମ ପ୍ରତିନିଧିମାନଙ୍କ ଜରିଆରେ ପ୍ରକାଶ କରିଛନ୍ତି । ତେବେ ଖବର ପାଇବା ପରେ ସ୍ଥାନୀୟ ତହସିଲଦାର ଯୁଗେଶ୍ଵର ଧରୁଆ ଘଟଣା ସ୍ଥାନରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କୁ ଜଣାଇବି ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ପ୍ରକାଶନ ପକ୍ଷରୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନ ନେଲେ ଆଗାମୀ ୧୫ ଦିନ ମଧ୍ୟରେ ପୁଣି ଥରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ଏଥିରେ କୋଶଳ ଯୁବ ସମନ୍ୱୟ ସମିତର ବଲାଙ୍ଗିର ଯୁବ ସଭାପତି ବନମାଳୀ ନାଏକ, କୋଶଳ ରାଜ୍ୟ ସଂଗଠନ ସମ୍ପାଦକ ଗିରିରାଜ ଭୋଇ, କୋଶଳ ରାଜ୍ୟ ସଂମ୍ପାଦକ ଅଚ୍ୟୁତ ଖମାରୀ, ଟିଟିଲାଗଡ଼ ବ୍ଲକ ସଭାପତି ରଞ୍ଜନ ଖୁଆସ, ସାନ୍ତାନୁ ରଣା, ରଞ୍ଜନ ବୁଡେକ, ବିଜେପି ସଭାପତି ପ୍ରାର୍ଥୀ ମହେନ୍ଦ୍ର ଠାକୁର, ବସନ୍ତ ବୁଡେକ, ଦେବାନନ୍ଦ ବେହେରା, ହିମତ ଅଲ୍ଲି, ସୁଶିଲ ରଣା, ଖଗେଶ୍ୱର ବୁଡେକ, ବଳଦେବ ପୁଝାରୀ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.