ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ କୋଶଲ ସମନ୍ୱୟ ପକ୍ଷରୁ ଜଳ ସତ୍ୟାଗହ ଆନ୍ଦୋଳନ : ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ଓ ବିଜେପି ନେତା ମହେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ମାନଙ୍କ ଅବହେଳା ଯୋଗୁଁ ୫ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ସଇଁନ୍ତଲା – ବାଦୀପଡା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହାକୁ ନେଇ ଅନେକ ଥର ବାଦ ବିବାଦ ସୃଷ୍ଟି ହୋଇସାରିଛି । ତେବେ ଏହାର ପ୍ରତିବାଦରେ ଆଜି କୋଶଲ ରାଜ୍ୟ ଯୁବ ସମନ୍ୱୟ ସମିତି ସଇଁନ୍ତଲା ଶାଖା ପକ୍ଷରୁ ଜଳ ସତ୍ୟାଗହ ଆନ୍ଦୋଳନ କରାଯାଇଛି । ସଭାପତି ଶାନ୍ତନୁ ରଣାଙ୍କ ନେତୃତ୍ୱରେ କୋଶଳ ସମନ୍ୱୟ ସମିତି ରାଜ୍ୟ ସାଧାରଣ ସଂପାଦକ ସିପୁନ ଖମାରି, ଜିଲ୍ଲା ଯୁବ ସଭାପତି ବନମାଳି ନାଏକ ପ୍ରମୁଖଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକଙ୍କ ଉପସ୍ଥିତରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିବା ବେଳେ ତୁରନ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଦାବୀ କରାଯାଇଛି । ଏହି ଅବସରରେ ପ୍ରଥମେ ସ୍ଥାନୀୟ ଚଣ୍ଡୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବାଦୀପଡ଼ା ବ୍ରିଜରେ ପହଂଚି ଜଳ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା- ବାଦୀପଡା ଲାଂଥ ନଦୀ ବ୍ରିଜ ଦୀର୍ଘ ବର୍ଷ ପରେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇ ନାହିଁ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜନେତାଙ୍କ ଅଣଦେଖା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଠିକ ଭାବେ କାର୍ୟ୍ୟ ସମ୍ପାଦନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଗାମୀ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ସୂଚନା ମତେ ଡୁଙ୍ଗୁରିପାଲି, କଅଁସର, ଘୁନସର ଭଳି ଅନେକ ପଞ୍ଚାୟତର ହଜାର ହଜାର ଲୋକେ ଏହି ବାଦୀପଡା ରାସ୍ତା ଦେଇ ନଦୀ ପାର ହୋଇ ଯା’ଆସ କରିଥାନ୍ତି । ତେବେ ୫ବର୍ଷରୁ ଅଧିକ ହେବ ବ୍ରିଜ ସମ୍ପୂର୍ଣ୍ଣ ହେଉ ନଥିବା ବେଳେ ଯାତାୟାତ କରିବା ପାଇଁ ସ୍କୁଲ, କଲେଜ ଛାତ୍ରଛାତ୍ରୀ ସମେତ ଗର୍ଭବତୀ ମହିଳାମାନଙ୍କ ପାଇଁ ବାଧା ସୃଷ୍ଟି ହେଉଛି । ପ୍ରକାଶ ଥାଉକି ଯେ, ବାଦୀପଡା ନିକଟରେ ଉକ୍ତ ନଦୀ ଉପରେ ପ୍ରାୟ ୧୪କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କାର୍ୟ୍ୟଗତ ୧୮/୦୨/୨୦୧୬ରୁ ଆରମ୍ଭ ହୋଇଥିବା ବେଳେ ଏହି ପୋଲ ନିର୍ମାଣ କାର୍ୟ୍ୟଗତ ୧୪/୦୫/୨୦୧୮ ମସିହାରେ ସମାପ୍ତ ହେବା କଥା । ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ବ୍ରିଜ ନିର୍ମାଣ କାର୍ୟ୍ୟ ସଂପୂର୍ଣ୍ଣ ହୋଇ ପାରୁନାହିଁ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘନଘୋର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗତ କିଛିଦିନ ତଳେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉକ୍ତ ବ୍ରିଜର ତଦାରଖ କରିବା ପାଇଁ ଆସିଥିବା ବେଳେ ଅସନ୍ତୋଷ ଲୋକଙ୍କ ପ୍ରଶ୍ନ ବାଣରେ ଦୁଇ ମନ୍ତ୍ରୀ ଘାଇଲା ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ମନ୍ତ୍ରୀ ଟୁକୁନି ସାହୁ ଲୋକଙ୍କ ପ୍ରଶ୍ନ ଉତ୍ତର ନ ଦେଇ ଚୁପଚାପ ରହି ଯାଇଥିବା ବେଳେ ଲୋକେ ଅସନ୍ତୋଷ ପ୍ରକାଶ ମଧ୍ୟ କରିଥିଲେ। ଅନେକ ଥର ସ୍ଥାନୀୟ ଜନସାଧାରଣ ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ରାସ୍ତା ମଧ୍ୟ ଅବରୋଧ କରାଯାଇଥିଲା । ସେହି ସମୟରେ ବର୍ଷା ନ ହେବା ଆଗରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା । ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୁଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଜଳ ସତ୍ୟାଗ୍ରହ ଆନ୍ଦୋଳନକୁ ସମର୍ଥନ କରି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ବିଜେପି ନେତା ମହେନ୍ଦ୍ର ଠାକୁରଙ୍କ ସମେତ କୋଶଳ ସମନ୍ୱୟ ସମିତି ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.