
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅଞ୍ଚଳରେ ଆଜି ବି ଅନେକ ଗ୍ରାମରେ ବାଲିଚୁଆ ଉପରେ ନିର୍ଭର କରି ତୃଷା ମେଣ୍ଟାଉ ଥିବା ବେଳେ କେତେକ ଗାଁ ପଡୋଶୀ ଜିଲ୍ଲା ନବରଙ୍ଗପୁର ସୀମାନ୍ତକୁ ପାନୀୟ ଜଳ ପାଇଁ ଯାଉଥିବା ନଜରକୁ ଆସୁଛି । ଏବେ ଏକ ନଳକୂଅରୁ ବର୍ଷ ବର୍ଷ ଧରି କ୍ଷୀର ଭଳିଆ ବାହାରୁ ଥିବା ଜହର ପାଣି ଲୋକଙ୍କ ପାଇଁ ଆଶଙ୍କା ସୃଷ୍ଟି କରୁଥିବା ବେଳେ ଗାଁ ପାଇଁ ଜଳ କଷ୍ଟ କେବେ ଦୂର ହେବ ତାହା ଏକ ଚିନ୍ତାର କାରଣ ପାଲଟି ସାରିଛି । ଜୟପାଟଣା ବ୍ଲକ ମହକୁମାରୁ ଦୁଇ କିଲୋ ମିଟର ଦୂରେ ଅବସ୍ଥିତ ଚିରକା ଗ୍ରାମର କୁସୁମ ଖୁଣ୍ଟି ପଡ଼ା । ପଡ଼ାର ଘର ସଂଖ୍ୟା ପଚିଶ ଥିବା ବେଳେ ଜନସଂଖ୍ୟା ପାଖାପାଖି ୧୨୫ ରହିଛି । ରାଜସ୍ୱ ଗ୍ରାମ ଚୀର୍କାରୁ କିଛି ଭୂମିହୀନ ଖଟିଖିଆମାନେ ଏକ ପଡ଼ା ବସାଇ କୁସୁମଖୁଣ୍ଟିର ନାମ କରଣ କରିଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ବ୍ରାହ୍ମଣ ପରିବାରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ଗଉଡ ଓ ଶବର ପରିବାର ଅନ୍ତର୍ଗତ । ୧୯୯୪ ମସିହାରୁ ପଡ଼ା ବସିବାର ଅନେକ ବର୍ଷ ପର୍ଯ୍ୟନ୍ତ ଏମାନଙ୍କୁ ମୌଳିକ ସୁବିଧାରୁ ବଂଚିତ ହେବାକୁ ପଡ଼ିଥିଲା । ପଡ଼ା ବସିବାର ଅନେକ ବର୍ଷ ପରେ ମଧ୍ୟ ସବୁ ଦିନିଆ ସଡକ, ପାନୀୟ ଜଳ, ବିଜୁଳି, ଶିକ୍ଷା ପାଇଁ ସଙ୍ଘର୍ଷ କରିବାକୁ ପଡିଲା । ମୂଲ ଲାଗି ଜୀବନ ଅତିବାହିତ କରୁଥିବା ଏହି ଗ୍ରାମର ଅଧିବାସୀଙ୍କୁ ଗାଁରେ ବିଜୁଳି ଆଲୋକ ଦେଖିବା ପାଇଁ ସର୍ତ୍ତ ପାଳନ କରିବାକୁ ପଡ଼ିଥିଲା ବୋଲି ଗାଁ ଲୋକେ ପ୍ରକାଶ କରନ୍ତି । ଖୁଣ୍ଟ ବୁହା ଠାରୁ ଆରମ୍ଭ କରି ଗାତ ଖୋଳା ଓ ବିନା ପାଉଣା ରେ ଶ୍ରମିକ ହେବାକୁ ପଡ଼ିଲା । ଗାଁରେ ପରସ୍ପର ମଧ୍ୟରେ ଏକତାର ପ୍ରତୀକ ରଖିଥିବା କୁସୁମ ଖୁଣ୍ଟି ପଡ଼ା ଲୋକେ ବର୍ଷ ବର୍ଷ ଧରି ଗାଁ ପରିମଳକୁ ବାସ୍ତବ ରୂପ ଦେଇ ଥିବା ଦେଖିବାକୁ ମିଳୁଥିଲେ ମଧ୍ୟ ସଂପୃକ୍ତ ବିଭାଗର ଜ୍ଞାତସାର ବାହାରେ । ପାଣି ପାଇଁ ଅନେକ କଷ୍ଟ ଉଠାଇ ଚାଲିଥିବା ଗାଁ ଲୋକଙ୍କ ଭାଗ୍ୟରେ ନଳକୂଅରୁ ପାଣି ପରିବର୍ତ୍ତେ ଧଳା ଜହର ବାହାରୁ ଥିବା ଆମକୁ ଦେଖାଇ ଥିଲେ । ଏ ସଂକ୍ରାନ୍ତରେ ଜୟପାଟଣା ବିଡି ଓ ଧର୍ମ ରାଜ ମାଝୀଙ୍କୁ ସୂଚନା ଦେବା ପରେ କାଳ ବିଳମ୍ବ ନକରି ସଂପୃକ୍ତ ବିଭାଗକୁ ଘଟଣା ସ୍ଥଳକୁ ପଠାଇବା ସହ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ସ୍ଥାନୀୟ ବାସିନ୍ଦା ନିତିଦିନିଆ ସଡକ, ଅଙ୍ଗୱାଡ଼ି ସବ୍ ସେଣ୍ଟର୍ ଓ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ପାଇଁ ଦାବି ଜଣାଇଛନ୍ତି ।