
ସମ୍ବଲପୁର, (କେପିଏନ୍ଏସ୍) : ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ଏହି ଉକ୍ତି ଆଜି ସତ ହୋଇଛି । ଏଭଳି ଏକ ଚମତ୍କାର ଘଟଣା ଲୋକ ଲୋଚନକୁ ଆସିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅନ୍ତର୍ଗତ ଲାରିପାଲି ଗାଁରେ । କେହି ଜଣେ କୁଆଁରୀ ମା’ ଲୋକଲଜ୍ଜା ପାଇଁ ଏକ ନବଜାତକକୁ ଫିଙ୍ଗି ଦେଇ ନିଜ ଦୋଷ ଲୁଚିଯିବ ଭାବି ସେଠାରୁ ଚାଲିଯାଇଥିଲା ହେଲେ ଜନ୍ମ ଦେଇ ମା’ ସିନା ନିଷ୍ଠୁର ହୋଇ ଏପରି କାଣ୍ଡ ଘଟାଇଲା କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଏହା ବୋଧେ ମଞ୍ଜୁର ନଥିଲା । ବୋର୍ୱେଲ ଭିତରୁ ଶୁଭାଯାଇଥିଲା କଇଁ କଇଁ କାନ୍ଦ । ଏହା ଶୁଣିବା ପରେ ବାଟରେ ଯାଉଥିବା ବାଟୋଇ ରେଙ୍ଗାଲି ପୋଲିସକୁ ଖବର ଦେଇଥିଲେ ଏବଂ ଜୋରସୋର୍ ଆପ୍ରାଣ ଉଦ୍ୟମ କରି ଲାଗିପଡିଥିଲେ ଉଦ୍ଧାର କାର୍ଯ୍ୟରେ । ପ୍ରାୟ ୧୫ ଫୁଟ୍ ଗଭୀର ଏହି ପରିତ୍ୟକ୍ତ ବୋର୍ୱେଲର ତଳେ ଫସିରହିଥିଲା ନବଜାତକର ଜୀବନ । କୁହାଯାଉଛି ଗର୍ତ୍ତରେ ପଡିଥିବା ପ୍ଲାଷ୍ଟିକ ବୋତଲ କାରଣରୁ ଶିଶୁଟି ଅଳ୍ପକେ ବର୍ତ୍ତିଯାଇଥିଲା ମୃତ୍ୟୁ ମୁଖରୁ । ତେବେ ଶିଶୁ ବିଶେଷଜ୍ଞ ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ଟ ଟିମ୍ ଦୀର୍ଘ ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଆପ୍ରାଣ ଚେଷ୍ଟା କରି ଶେଷରେ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ନବଜାତକକୁ । ଏହାରି ମଧ୍ୟରେ ଗର୍ତ୍ତ ଭିତରେ ଶିଶୁକୁ ତାପ ଯୋଗାଇବା ପାଇଁ ଲଗାଯାଇଥିଲା ଏକ ୧୦୦ ୱାର୍ଟର ବଲ୍ବ ଏବଂ ଅକ୍ସିଜେନ୍ ମେସିନ୍ ଓ ପାଇପ ଯୋଗେ ଯୋଗାଇ ଦିଆଯାଉଥିଲା ଅକ୍ସିଜେନ୍ । ଏତେ ସହଜ ନଥିଲା ଉଦ୍ଧାର କାର୍ଯ୍ୟ । ଏହି ଉଦ୍ଧାର କାର୍ଯ୍ୟରେ ଗ୍ରାମବାସୀ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ । କଟକରୁ ହେଲିକପ୍ଟର ଯୋଗେ ଦୁଇଟି ବକ୍ସରେ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ରେଙ୍ଗାଲି ପଠାଯାଇଥିଲା । ଝାର୍ସୁଗୁଡାରେ ହେଲିକପ୍ଟର ପହଞ୍ଚିବା ପରେ ସେଠାରେ ସଡକ ପଥରେ ନିଆଯାଇ ରାତି ୯ଟା ବେଳେ କ୍ୟାମେରା ସେଠାରେ ପହଞ୍ଚିଥିଲା । କ୍ୟାମେରା ସହିତ ଜଣେ ଟେକ୍ନିସିଆନ୍ ସେଠାକୁ ଯାଇଥିଲେ । ସେ ଉକ୍ତ ଥର୍ମାଲ କ୍ୟାମେରାକୁ ଗର୍ତ୍ତ ଭିତରକୁ ପଠାଇ ଶିଶୁର ସ୍ଥିତି ବିଷୟରେ ଉଦ୍ଧାରକାରୀ ଟିମ୍କୁ ଅବଗତ କରାଇଥିଲେ । ଅନ୍ୟପଟରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଦୁଇଟି ଜେସିବି ଗାଡି ସମାନ୍ତରାଳ ଭାବରେ ଗର୍ତ୍ତ ପାଖରେ ଗାତ ଖୋଳିବା ପରେ ଆରିପାତି ସାହାଯ୍ୟରେ ପାଇପ୍କୁ କାଟି ଶିଶୁକୁ ଉଦ୍ଧାର କରାଯାଇଥିଲା । ଗର୍ତ୍ତ ଭିତରୁ ଶିଶୁଟିକୁ ଉଦ୍ଧାର କରିବା ପରେ ଡାକ୍ତର ତାକୁ ଏକ ୱାର୍ମ ଅଫ୍ ଟ୍ରେରେ ରଖି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଶିଶୁଟି ସାମାନ୍ୟ ଅସୁସ୍ଥ ଥିବାରୁ ତାକୁ ସେଠାରେ ପ୍ରସ୍ତୁତ ଥିବା ଆମ୍ବୁଲାନ୍ସରେ ରେଙ୍ଗାଲି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାକୁ ବିଶେଷଜ୍ଞଙ୍କ ତତ୍ୱାବଧାନରେ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି । ଡାକ୍ତରୀ ଟିମ୍ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ତେବେ କି ଭୁଲ କରିଥିଲା ଏହି ଶିଶୁ ଯେ ତାକୁ ତା ମା’ ଏତେ ନିର୍ଦ୍ଦୟ ଭାବରେ କୂଅ ଭିତରେ ଫିଙ୍ଗି ଚାଲିଗଲା ବୋଲି ଲୋକେ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷରେ ଏହି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସମସ୍ତ ଉଦ୍ଧାରକାରୀ ଟିମ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଶିଶୁଟିର ଦୀର୍ଘାୟୁ କାମନା କରିଛନ୍ତି । ଗୋଟେ ମା’ କ’ଣ ଏତେ ନିଷ୍ଠୁର ହୋଇପାରେ ଯେ, ସେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ନିଜ ଜନ୍ମ କଲା ସଦ୍ୟ ଜନ୍ମିତ ଶିଶୁକୁ ଏପରି ଭାବେ ମୁତ୍ୟୁ ମୁଖକୁ ଠେଲି ଦେଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।