centurian jitm

ହରିବାବା ମଠରେ ଧର୍ମରକ୍ଷା ଯଜ୍ଞ

  • “ଆଧ୍ୟାତ୍ମିକତାକୁ ଛାଡି ଏକ ସୁସ୍ଥ ସମାଜର ପରିକଳ୍ପନା ଅସମ୍ଭବ”

ରାଉରକେଲା, (ସସ୍ମିତା ପ୍ରଧାନ) : ଆଧ୍ୟାତ୍ମିକତା ଭିତରେ ହିଁ ସର୍ବେ ଭବନ୍ତୁ ସୁଖିନଃର ତତ୍ତ୍ୱ ଭରି ରହିଥିବା ବେଳେ ଆଧ୍ୟାତ୍ମିକତା ଭିତରେ ହିଁ ଭରିଛି ସତ୍ୟ, ଶାନ୍ତି, ଦୟା ଓ କ୍ଷମାର ଅନୁଭବ । ତେବେ ସାମ୍ପ୍ରତିକ ପରିସ୍ଥିତିରେ ଯନ୍ତ୍ରଚାଳିତ ମଣିଷ ଦିନକୁ ଦିନ ଆଧ୍ୟାତ୍ମିକ ସାଧନାରୁ ଦୂରକୁ ଚାଲିଯାଉଛି । ଫଳସ୍ୱରୂପ ସମାଜରେ ଦିନକୁଦିନ ଅଶାନ୍ତି, ବ୍ୟଭିଚାର, ଅଶ୍ଲିଳତା, ବିଶୃଙ୍ଖଳା, ନିଷ୍ଠୁରତା ଆଦି ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏକ ସୁସ୍ଥ ଓ ସଂଗଠିତ ସମାଜ ଗଢି ତୋଳିବାକୁ ହେଲେ ଆମ ସମସ୍ତଙ୍କୁ ଆଧ୍ୟାତ୍ମିକତାର ପଥକୁ ଅନୁସରଣ କରିବାକୁ ହେବ । କାରଣ ଆଧ୍ୟାତ୍ମିକତାକୁ ଛାଡି ଏକ ସୁସ୍ଥ ଓ ସଂଗଠିତ ସମାଜର ପରିକଳ୍ପନା ଅସମ୍ଭବ । ବଣାଇ ଉପଖଣ୍ଡ ହଳଦୀକୁଦର ପଞ୍ଚାୟତ ଅନ୍ତର୍ଗତ ବଣପାହାଡ଼ ଘେରା ସାନଜଳରେ ଅବସ୍ଥିତ ହରିବାବା ମଠରେ ଅନୁଷ୍ଠିତ ଧର୍ମରକ୍ଷା ଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ରଖିଛନ୍ତି ବିଶ୍ୱହିନ୍ଦୁ ପରିଷଦ ପଦାଧିକାରୀ ଶାନ୍ତନୁ କୁସୁମ । ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଥିଲେ ଯେ, ମଣିଷ ଜୀବନ କ୍ଷଣଭଙ୍ଗୁର ହୋଇଥିବା ବେଳେ ଈଶ୍ୱରପ୍ରାପ୍ତି ହିଁ ମଣିଷ ଜନ୍ମର ମୂଳ ଲକ୍ଷ୍ୟ ଅଟେ । ହେଲେ ଆଜିର ମଣିଷ ମୋହଗ୍ରସ୍ତ ହୋଇ ଧନସମ୍ପତ୍ତି, କୋଠାବାଡ଼ି ପଛରେ ଧାଇଁ ଧାଇଁ ଜୀବନକୁ ଅତିବାହିତ କରିଦେଉଛି । ତେଣୁ ଆମେ ସମସ୍ତେ ଆଜି ଲୋଭ, ମୋହ, ଇର୍ଷା, ଅହଙ୍କାରକୁ ଯଜ୍ଞ ବେଦିରେ ଆହୁତି ଦେଇ ଈଶ୍ୱରଙ୍କ ଶରଣାଗତ ହେବାକୁ ସଂକଳ୍ପ ନେବା ଉଚିତ ବୋଲି ଶ୍ରୀ କୁସୁମ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଆହ୍ୱାନ କରିଥିଲେ । ସର୍ବପ୍ରଥମେ ଭୋରରୁ ସ୍ଥାନୀୟ ଝରଣାରୁ ଶ୍ରଦ୍ଧାଳୁ ମାନେ କଳସ ଶୋଭାଯାତ୍ରାରେ ପାଣି ଆଣି କଳସ ସ୍ଥାପନା କଲା ପରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ହୋମଯଜ୍ଞର ପୂର୍ଣ୍ଣାହୁତି ପରେ ମଧ୍ୟାହ୍ନରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦୌଲତ ଅଗ୍ରୱାଲ, ବିଶ୍ୱମ୍ବରନାଥ ମିଶ୍ର, ହୃଦୟ କୁମାର ମହାନ୍ତ, ଦୁର୍ଗା ସିଂ, ଯୁଗଳ କିଶୋର ମହାନ୍ତ, ବାସନ୍ତୀ ଜାମୁଦା ପ୍ରମୁଖ ମଞ୍ଚାସୀନ ଥିଲେ । ସବା ଶେଷରେ ସମସ୍ତ ଶ୍ରଦ୍ଧାଳୁ ଅନ୍ନ ପ୍ରସାଦର ଆନନ୍ଦ ନେଇଥିଲେ । ସନ୍ଥ ହରି ବାବାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁକା ମୁଣ୍ଡାରୀ, ପୂରେନ୍ଦ୍ର ମୁଣ୍ଡା, ଦୁର୍ଗା ମୁଣ୍ଡା, ବାଗୁନ ମୁଣ୍ଡା, ସୁଖଲାଲ ମୁଣ୍ଡା, ବାସନ୍ତୀ ଜାମୁଦା, ମାନସୀ ମୁଣ୍ଡାରୀ, ବାଲମା ମୁଣ୍ଡା, ପ୍ୟାରୀ ମୁଣ୍ଡା, ପାର୍ବତୀ ମୁଣ୍ଡା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଉପାନ୍ତ ଅଞ୍ଚଳରେ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଭରିଥିବା ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.