ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବନବିଭାଗ ଆଉଥରେ ପ୍ରମାଣ କରିଛି ଯେ, ଜଙ୍ଗଲ ଲୁଟେରା ଓ କାଠ ମାଫିଆଙ୍କ ପାଇଁ ଏହି ଅଞ୍ଚଳ ଆଉ ସୁରକ୍ଷିତ ନୁହେଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସଠିକ୍ ସୂଚନା ଆଧାରରେ, ମଙ୍ଗଳବାର ରାତି ପ୍ରାୟ ୧୨ଟା ସମୟରେ ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକଙ୍କ ନେତୃତ୍ୱରେ ଗଠିତ ଏକ ସଚେତନ ଟିମ ଫୁଲକିମୁଣ୍ଡା ମୁଖ୍ୟ ରାସ୍ତା ଉପରେ ଚଢ଼ାଉ କରି ଖଇର କାଠର ଚୋରା ଚାଲାଣକୁ ସଫଳ ଭାବେ ଅଟକାଇଛି । ଚଢ଼ାଉ ସମୟରେ ଗୋଟିଏ ସୁପ୍ରୋ ପିକଅପ୍ ଗାଡ଼ିରୁ ପ୍ରାୟ ୧୦ କ୍ୱିଣ୍ଟାଲ ମୂଲ୍ୟବାନ ଖଇର କାଠ ଜବତ କରାଯାଇଥିବାବେଳେ, ଗାଡ଼ିର ଡ୍ରାଇଭର ଚିରଞ୍ଜିବି ନାଏକ (ବର୍ଲାବାହାଲି ଗ୍ରାମ, ବଙ୍ଗୋମୁଣ୍ଡା ଥାନା ଅଞ୍ଚଳ)କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସିଏଫ୍ ତଥା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି । ଗମ୍ଭୀର ପ୍ରଶ୍ନ ଉଠୁଛି – ଏତେ ପରିମାଣର କାଠ କେଉଁଠାରୁ ଆସୁଥିଲା ? କେଉଁଠାକୁ ଯାଉଥିଲା ? ଏବଂ ଏହି ଚୋରା ଚାଲାଣର ପଛରେ ଥିବା ମୁଖ୍ୟ ମାଷ୍ଟରମାଇଣ୍ଡ କିଏ ? କେବଳ ଡ୍ରାଇଭର ଗିରଫ ହେବା ଯଥେଷ୍ଟ ନୁହେଁ, ଏହି ଚୋରା ବ୍ୟବସାୟର ସମ୍ପୂର୍ଣ୍ଣ ବିଶୃଙ୍ଖଳାକୁ ଉପାଡ଼ିବା ଆବଶ୍ୟକ । ଖପ୍ରାଖୋଲ ବନବିଭାଗର ସଚେତନତା, ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ସାଧାରଣ ଜନତା ମଧ୍ୟରେ ବ୍ୟାପକ ପ୍ରଶଂସା ଦେଖାଦେଇଛି । ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ହିଁ ଜଙ୍ଗଲ ସମ୍ପଦକୁ ସୁରକ୍ଷା ଦେବା ସହ କାଠ ମାଫିଆଙ୍କ ମନୋବଳକୁ ଭାଙ୍ଗିପାରିବ । ଜଙ୍ଗଲ ବଞ୍ଚିଲେ ଜୀବନ ବଞ୍ଚିବ – କାଠ ଚୋରା ଚାଲାଣ ବିରୋଧରେ ଏହି ଲଢ଼େଇ ଆହୁରି ତୀବ୍ର ହେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।