- ଗଞ୍ଜେଇ ମାଫିଆଙ୍କୁ ନାହିଁ ନିସ୍ତାର : ଏସପି
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ସୋନପୁର ପୋଲିସ୍ । ଜବତ ଗଞ୍ଜେଇର ଆନ୍ତଃ ରାଜ୍ୟ ମୂଲ୍ୟ ପ୍ରାୟ ୬ କୋଟି ହେବ ଏବଂ କିପରି ଏହାକୁ କୌଶଳ କ୍ରମେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ଲୋପା ଢାବା ନିକଟରୁ ଲୋଡ କରି ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ନାରାୟଣ ନାୟକ । ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବୀରମହାରାଜପୁର – କଦଳୀଗଡ ରାସ୍ତାର ଦୁର୍ଦୁରାସ୍ଥିତ ନର୍ସରୀ ପାଖରେ ଗଞ୍ଜେଇ ବୋଝେଇ କଣ୍ଟେନରକୁ ଅଟକାଇବା ସହ ଯାଞ୍ଚ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ କୌଶଳ କ୍ରମେ ନିଆଯାଉଥିବା ଜଣାପଡିଥିଲା । ପୁଲିସର ସୂଚନା ଅନୁସାରେ ରବିବାର ଭୋର୍ ସମୟରେ ବୌଦ୍ଧ ଜିଲ୍ଲାରୁ ଏକ କଣ୍ଟେନର ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଖବର କୌଣସି ସୂତ୍ରରୁ ମିଳିଥିଲା । ସୋନପୁର ସହର ପଟୁ ଗଞ୍ଜେଇ ଚାଲାଣ ଉପରେ ପୋଲିସର କଡ଼ା ନଜର ଥିବାରୁ ଏହି ଗଞ୍ଜେଇ ବୌଦ୍ଧ – କଦଳୀଗଡ ଦେଇ ପୁଣି ସୋନପୁର ଜିଲ୍ଲା ବୀରମହାରାଜପୁର ପଟରୁ ସମ୍ବଲପୁର ଓ ସେଠାରୁ ମଧ୍ୟପ୍ରଦେଶ ଚାଲାଣ ହୋଇଥାନ୍ତା । ସୁବଳୟା ପୁଲିସ କଦଳୀଗଡ଼ ପଟୁ ବୀରମହାରାଜପୁର ଅଭିମୁଖେ ଆସୁଥିବା କଣ୍ଟେନର (ଏନ୍ଏଲ୍ ୦୧ ଏନ୍ ୬୯୧୪)କୁ ଦୁର୍ଦୁରାସ୍ଥିତ ନର୍ସରୀ ସମ୍ମୁଖରେ ଅଟକାଇ ଯାଞ୍ଚ କରିବାରୁ ପରେ ଡ୍ରାଇଭର ପଛପଟେ ୨ ଫୁଟ ଓସାରର ସିକ୍ରେଟ ଚାମ୍ୱର ତିଆରି କରି ସେହି ଭିତରେ ଗଞ୍ଜେଇ ଭର୍ତ୍ତିଥିବା ଜଣାପଡିଥିଲା । ଖବର ପାଇ ଏଏସ୍ପି କେ.କେ. ହରିପ୍ରସାଦ ଓ ଏସ୍ଡିପିଓ ହେମନ୍ତ ରାଓ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଥିଲା ବେଳେ ପରେ ଏସ୍ପି ନାରାୟଣ ନାୟକ ମଧ୍ୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ସେହି ଭିତରେ ଥିବା ୬୦୭ଟି ପ୍ୟାକେଟ ଗଞ୍ଜେଇକୁ ମାଜିଷ୍ଟ୍ରେଟ ଅଜିତ ମିର୍ଦ୍ଧାଙ୍କ ଉପସ୍ଥିତିରେ ବାହାର କରାଯାଇଥିବା ବେଳେ ଓଜନ କରିବାରୁ ୫ କ୍ଵିଣ୍ଟାଲ ୯୩ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଯାହାର ସରକାରୀ ମୂଲ୍ୟ ପ୍ରାୟ ୬୦ ଲକ୍ଷ ଏବଂ ଆନ୍ତଃ ରାଜ୍ୟ ବେସରକାରୀ ମୂଲ୍ୟ ପ୍ରାୟ ୬ କୋଟି ହେବ ବୋଲି ଏସପି ସୂଚନା ଦେଇଥିଲେ ଏବଂ ଏହି ଗଞ୍ଜେଇକୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ପ୍ରଶାନ୍ତ ପ୍ରଧାନ ଚାଲାଣ କରୁଥିବା ସ୍ପଷ୍ଟ କରିଥଲେ । ଗାଡିରେ ଥିବା ଦୁଇଜଣ ବ୍ୟକ୍ତି ବିହାର ଭୋଜପୁର ଜିଲ୍ଲା ସାହାପୁର ଥାନା ଅଞ୍ଚଳର ଅନିଲ ଯାଦବ (୨୮) ଓ ଝାଡଖଣ୍ଡ ର ଧାନବାଦର ବିନୁ ମଲ୍ଲହ(୩୫)କୁ ଗିରଫ କରିଥିବା ବେଳେ ସେମାନେ କହିଥିଲେ ଯେ, ପ୍ରଶାନ୍ତ ପ୍ରଧାନ ନାମକ ଯୁବକ ଏହାକୁ ଲୋଡ଼ିଂ କରି ପଠାଇଛି । ପରେ ତାଙ୍କ ପାଖରୁ ଦୁଇଟି ମୋବାଇଲ ଏବଂ ୮୭୦୦ ଟଙ୍କା ଜବତ କରାଯାଇଥିଲା । ଏହି ଚଢ଼ଉ ସମୟରେ ସୁବଳୟା ଆଇଆଇସି ସୁଶାନ୍ତ ପ୍ରଧାନ, ହାବିଲଦାର ସୁଧୀର ଷାଣ୍ଢ ଓ ପୁଲିସ ଟିମ୍ ସାମିଲ ଥିଲେ । ଏନେଇ ସୁବଳୟା ଥାନାରେ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରାଯିବା ସହ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ଏବଂ ଏହା ପରେ ପ୍ରଶାନ୍ତ ପ୍ରଧାନ ଉପରେ ଚଢାଉ ଜାରି ରହିବ ବୋଲି ଏସପି ନାରାୟଣ ନାୟକ ସୂଚନା ଦେଇଥିଲେ ।