ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ (ଚିତା) ବାଘ ଛାଲ ଓ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ଗୁରୁବାର ନୂଆପଡ଼ା ରେଞ୍ଜ ଅନ୍ତର୍ଗତ ପତାଳଘୁଟକୁରି ଗ୍ରାମର ମହେଶ ସାହୁ (୬୨) ଓ ତାଙ୍କ ପୁଅ ଗଜାନନ ସାହୁ (୨୬)ଙ୍କ ଠାରୁ ଏକ ଚିତା ବାଘ ଛାଲ ଜବତ କରାଯାଇଥିଲା । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଅନ୍ୟ ଏକ ଘଟଣାରେ, ଶୁକ୍ରବାର ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ବୋଡ଼େନ ସେକ୍ସନରେ ଚଢ଼ାଉ କରାଯାଇ ଚିତା ବାଘ ଛାଲ ଓ ଦୁଇଟି ସମ୍ବର ଶିଙ୍ଘ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଚାରିଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦିନେଶ ମାଝି (୬୨), ସୁକୁରାମ ଚିନ୍ଦା (୪୫), ପୂର୍ଣ୍ଣଚନ୍ଦ୍ର ମାଝି (୪୬) ଓ ମଧୁସୂଦନ ମାଝି (୫୫)। ସେମାନେ ସମସ୍ତେ ବୋଡ଼େନ ଥାନା ଅନ୍ତର୍ଗତ ସରାଧାରପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି ।
ଏହି ମାମଲାରେ ମୋଟ ଛଅଜଣ ଗିରଫ ହୋଇଥିବା ବେଳେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଚଢ଼ାଉର ନେତୃତ୍ୱ ନେଇଥିଲେ ଏସିଏଫ ପ୍ରଶ୍ନଜିତ ନାଏକ ଓ ମହମ୍ମଦ ମୁସ୍ତାଫା ସାହିଲଙ୍କ ସହ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ । ଅଭିଯୁକ୍ତମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ବେଆଇନ ଭାବେ ବନ୍ୟପ୍ରାଣୀ ଅଂଶ ରଖିଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Prev Post