ommm
jittmm

ଡକାୟତି ଉଦ୍ୟମ : ୩ ଗିରଫ, ବାଇକ ସହ ଅନେକ ମାରଣାସ୍ତ୍ର ଜବତ

ବୌଦ୍ଧ, (କେପିଏନ୍‌ଏସ୍‌) : ଘଣ୍ଟାପଡ଼ା ଥାନା ଅଞ୍ଚଳ ପାଇଁ ମୁଣ୍ଡବ୍ୟଥା ସାଜିଛି ଗମନାଗମନ ଅବ୍ୟବସ୍ଥା । ଘଣ୍ଟାପଡ଼ା-ବସାସଙ୍କର ତେଲ ନଦୀ ସେତୁ ଓ ଫାସେଡ଼-ଗୌଡଗୋଠ ତେଲ ନଦୀ ସେତୁ ଯୋଗୁଁ ଉକ୍ତ ଅଞ୍ଚଳରେ ପ୍ରାୟତଃ ଲୁଟ, ଡିକାୟତି, ଚୋରି, ଅସାମାଜିକ କାର୍ଯ୍ୟ, ନିଶା କାରବାରରେ ପଡ଼ୋଶୀ ଜିଲ୍ଲାର ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହାକି ଘଣ୍ଟାପଡ଼ା ଥାନା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି କ୍ରମରେ ଥାନା ଅଧିନସ୍ଥ ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରାରେ ଡକାୟତି ଉଦ୍ୟମ କରୁଥିବା ବେଳେ ୩ଜଣ ଯୁବକକୁ ଗିରଫ କରିଛି ଘଣ୍ଟାପଡା ପୋଲିସ । ସେମାନେ ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଦେଓଗାଁ ଗ୍ରାମର ନୀଳାମ୍ବର ଭୋଇ(୨୭), ଆକାଶ ଭୁଏ(୨୨) ଓ ଯୋଗେଶ କୁମାର ସାହୁ(୨୦) । ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ ପୂର୍ବକ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅୁସାରେ ରାତି ପ୍ରାୟ ୨ଟା ସମୟରେ ତିନିଜଣ ଦୂବୃର୍ତ୍ତ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ଗ୍ରାମର ଦେବଦତ୍ତ ଭୋଇଙ୍କ ଘରେ ଡକାୟତି ଉଦ୍ୟମ କରୁଥିବା ସମୟରେ ଘର ମାଲିକ ଜାଣିପାରି କିଛି ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ । ୭-୮ଜଣ ବ୍ୟକ୍ତି ଘେରିଯାଇ ଉକ୍ତ ଦୂବୃର୍ତ୍ତଙ୍କୁ କାବୁକରି ପୋଲିସକୁ ଖବର ଦେଇଥିଲେ । ଘଣ୍ଟାପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ଗ୍ଲାମର ବାଇକ, ଫାର୍ଶା(ଟାଙ୍ଗି), ଖଣ୍ଡା ଏବଂ ଜେକରଡ୍ ଜବତ କରିଛି । ସମସ୍ତ ଅଭିଯୁକ୍ତ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଦେଓଗାଁ ଗ୍ରାମର ବୋଲି ଜଣା ପଡିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ଘଣ୍ଟାପଡା ଥାନାରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚାଲୁ ରହିଥିବା ନେଇ ଘଣ୍ଟାପଡା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.