ଖଇରକାଠ ସହ ଗୋଟିଏ ଅଲ୍ଟୋ କାର ଜବତ ଆସାମୀ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖଇରକାଠ ସହ ଗୋଟିଏ ଅଲ୍ଟୋ କାରକୁ ବନ ବିଭାଗ ଜବତ କରିଥିବ ବେଳେ ଆସାମୀ ଫେରାର ଥିବା ଖବର ମିଳିଛି । ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଡୁଡ଼କିପଦର ଗ୍ରାମ ନିକଟରେ ଏଭଳି ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା, ଫରେଷ୍ଟ ଗାର୍ଡ ରାଜେନ୍ଦ୍ର ଧରୁଆ ଏବଂ ବନସୁରକ୍ଷା ଦଳ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାତି ୧୧.୩୦ ସମୟରେ ଡୁଡ଼କିପଦର ଗ୍ରାମ ନିକଟରେ ଚଢ଼ାଉ କରିଥିଲେ । ଗୋଟିଏ ଅଲ୍ଟୋ କାର ନଂ ଓଡି ୧୭ ଜେଡ -୩୬୦୩ ଏବଂ ଗୋଟିଏ ବାଇକ ନଂ ଓଡି୧୭ ଏସି -୨୪୨୧ ଜବତ କରିଥିଲେ । କାର ଭିତରେ ବେଆଇନ ଖଇର କାଠ ଗଣ୍ଡି ଭର୍ତ୍ତି ଥିବା ଦେଖି କାଠକୁ ମଧ୍ୟ ଜବତ କରିଥିଲେ । କାଠ ମାଫିଆ ଏବଂ ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ମାରିଥିଲେ । ଦୁଇଟି ଗାଡି ଏବଂ କାଠକୁ ଜବତ କରି ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ଜବତ କାଠର ଓଜନ ୫ କ୍ୱିଣ୍ଟାଲ ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ ଚାଲିଥିବା ବନପାଳ ଶ୍ରୀ ଜେନା ପ୍ରକାଶ କରିଛନ୍ତି । କାଠ ମାଫିଆ ମାନେ କାହାରିକୁ ଭୟ ନକରି ଜଙ୍ଗଲ ଲୁଟିବାରେ ଲାଗି ପଡିଛନ୍ତି । ତେଣୁ ହରିଶଙ୍କର ବନାଞ୍ଚଳ ଅଧିନସ୍ଥ ବିଭିନ୍ନ ଜଙ୍ଗଲରୁ କାଠ ଚୋରି ଏକ ନିୟମିତ ଘଟଣା ହୋଇଛି । ବାରମ୍ବାର କେବଳ ଚୋରାକାଠ ଏବଂ ଗାଡି ଜବତ କରୁଛି ବନବିଭାଗ । ବନବିଭାଗର ଆଖି ସାମ୍ନାରେ କାଠ ମାଫିଆ ଫେରାର ମାରୁଛନ୍ତି ଏହା ବନବିଭାଗର ନିଷ୍କ୍ରିୟତା ନାଁ ଅନ୍ୟକିଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.