ଚନ୍ଦନକାଠ ଜବତ : ୨ ଗିରଫ

କୋରାପୁଟ : କୋରାପୁଟ ବନ ବିଭାଗ ପକ୍ଷରୁ ସଦର ବ୍ଲକର ବାରିଗୁଡା ଜଙ୍ଗଲରେ ଚଢାଉ କରାଯାଇ ୨୦ହଜାର ଟଙ୍କାର ଚନ୍ଦନକାଠ ସହ ୨ଜଣ ଚନ୍ଦନ ବେପାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି । କୋରାପୁଟ ରେଞ୍ଜ ଅଧିକାରୀ ରୋହିତ କୁମାର ଏନେଇ ସୂଚନା ଦେଇଛନ୍ତି । ବନବିଭାଗ ସେମାନଙ୍କଠାରୁ ୧୦କେଜି ଓଜନର ଚନ୍ଦନକାଠ ସହ ଏକ ବାଇକ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି । କୋରାପୁଟ ରେଞ୍ଜ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର କୋରାପୁଟ ବ୍ଲକର ବାରିଗୁଡା ଜଙ୍ଗଲରେ ଚନ୍ଦନ କାଠ ବ୍ୟବସାୟୀ ଜଙ୍ଗଲରୁ ଚନ୍ଦନକାଠ କାଟି ନେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ଅଧିକାରୀ ରୋହିତ କୁମାରଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ସ୍ଥାନୀୟ ବାରିଗୁଡା ଜଙ୍ଗଲରେ ଅତର୍କିତ ଚଢାଉ କରିଥିଲେ । ଚଢ଼ାଉ ସମୟରେ ଦୁଇଟି ବ୍ୟାଗରେ ଥିବା ସମୁଦାୟ ୨୦କେଜି କଟା ଚନ୍ଦନକାଠ, ଏକ ଦେଶୀ ବନ୍ଧୁକ, ଟାଙ୍ଗିଆ ଓ ଅନ୍ୟ ଲୁହା ସାମଗ୍ରୀକୁ ଜବତ କରାଯାଇଥିଲା । ଗିରଫ ଦୁଇ ଚନ୍ଦନକାଠ ବେପାରୀ ହେଲେ କୋରାପୁଟ ସଦର ଥାନା ଅନ୍ତର୍ଗତ ବାରିଗୁଡା ଗ୍ରାମର ବାନ୍ଧୁ ମୁଦୁଲି(୪୬) ଓ ମାଛରା ଗ୍ରାମର ରଥ ମାଝି(୩୯) । ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.