jayashree

ମାଓବାଦୀ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

ଭବାନୀପାଟଣା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳର ପାହାଡ଼ପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ଥିବା ଖବର ପାଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ’ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଓ ଏସ୍‌ଓଜି ଯବାନ ଅଞ୍ଚଳରେ କମ୍ବିଂ ଅପରେସନ କରିଥିଲେ । ଏହି ସମୟରେ କାଞ୍ଚନମୁହିଁ ଗ୍ରାମ ନିକଟରେ ସେମାନେ ଏକ ମାଓବାଦୀ କ୍ୟାମ୍ପ ଠାବ କରିଥିବା ବେଳେ ଯବାନଙ୍କୁ ଦେଖି ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ଅନ୍ୟପଟେ ମାଓବାଦୀ କ୍ୟାମ୍ପରୁ ବହୁ ସାମଗ୍ରୀ ଜବତ ହୋଇଥିବା ଏସ୍‌ପି ଏକ ବିବୃତିରେ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଉପରୋକ୍ତ ଅଞ୍ଚଳରେ ଏସ୍‌ଓଜି ଯବାନ ଓ ପୋଲିସ ଦ୍ୱାରା ଗତ ୯ ତାରିଖରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । କାଞ୍ଚନମୁହିଁ ଗ୍ରାମ ନିକଟରେ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲିଥିବା ଦେଖିବାକୁ ପାଇଥିଲେ । ଯବାନମାନଙ୍କୁ ଦେଖି କ୍ୟାମ୍ପ ଛାଡ଼ି ମାଓବାଦୀମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଯବାନମାନେ ଉକ୍ତ କ୍ୟାମ୍ପକୁ ନଷ୍ଟ କରିଦେଇଥିଲେ । ଉକ୍ତ କ୍ୟାମ୍ପରୁ ତଲାସି କରିବା ସମୟରେ ୯ଟି ଡିଟୋନେଟର, ୨ଟି ଆଇଇଡି, କମ୍ବଳ, ବିୁଦ୍ୟତ୍‌ତାର, ଔଷଧ ଆଦି ସହିତ ବହୁ ମାଓବାଦୀ ସାମଗ୍ରୀ ଓ ମାଓବାଦୀ ପୁସ୍ତିକା ଜବତ କରାଯାଇଥିଲା । ଏହି କ୍ୟାମ୍ପରେ ୧୦ରୁ ଊର୍ଦ୍ଧ୍ୱ ମାଓବାଦୀ ଥିବା ଜଣାପଡ଼ିଛି । ଏହି ମାଓବାଦୀ କ୍ୟାମ୍ପ କଳାହାଣ୍ଡି ଜିଲ୍ଲାର ବିଜିଏମ ଡିଭିଜନ ଓ ନିୟମଗିରି ଡିଭିଜନ ଦ୍ୱାରା ପରିଚାଳିତ ହେଉଥିବା ପୋଲିସ ଜବତ କରିଥିବା ମାଓବାଦୀ ଲିଫ୍‌ଲେଟ୍‌ ଜାଣିବାକୁ ପାଇଛି । ଏହି କ୍ୟାମ୍ପରେ ନିୟମଗିରି ଡିଭିଜନର ଦୁର୍ଦ୍ଦାନ୍ତ ମାଓବାଦୀ ନେତା ଇନ୍ଦୁ ମାଝି ଓ କୁନୀ ମାଝି ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ବର୍ତ୍ତମାନ ଉକ୍ତ ଅଞ୍ଚଳ ଓ ତା’ର ଆଖପାଖ ଜଙ୍ଗଲକୁ ଯବାନମାନେ ଘେରାଉ କରି ରଖିବା ସହିତ ସର୍ଚ୍ଚ ଅପରେସନ ଜୋରଦାର କରିଥିବା ଏସ୍‌ପିଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.