ପୋଲିସ ଦ୍ୱାରା ଆନ୍ତଃରାଜ୍ୟ ଅପରାଧିକ ଦଳର ୩ ଅଭିଯୁକ୍ତ ଗିରଫ : ୭ ବୋଲେରୋ ଓ ୪ ବାଇକ୍ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ରାଉରକେଲା ପୋଲିସ ଗିରଫ କରିବା ସହ ୭ ବୋଲେରୋ ଓ ୪ ବାଇକ୍ ଜବତ କରାଯାଇଛି ବୋଲି ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଏବଂ ବରିଷ୍ଠ ପୋଲିସ ଅଧିକାରୀ । ରାଉରକେଲା ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ରଘୁନାଥପାଲି ଥାନାର କେସ୍ ନମ୍ବର-୧୪, ୨୦୨୬ ଜାନୁଆରୀ ୭ ତାରିଖ ବିଏନ୍ଏସର ଧାରା ୩୦୫(ଖ) ମାମଲାର ତଦନ୍ତ ସମୟରେ, ରଘୁନାଥପାଲି ପୋଲିସ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାରି ଚକିଆ ଏବଂ ଦୁଇ ଚକିଆ ଯାନ ଚୋରି କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି । ସୂଚନା ଅନୁସାରେ ରଘୁନାଥପାଲି ପୋଲିସ ଥାନା, ଟାଙ୍ଗରପାଲି ଥାନା, ବ୍ରାହ୍ମଣୀତରଙ୍ଗ ଥାନା, ବନ୍ଧମୁଣ୍ଡା ଥାନା ଏବଂ ଗୁରୁଣ୍ଡିଆ ଥାନା ଅଞ୍ଚଳରୁ ବୋଲେରୋ ଏବଂ ମୋଟର ସାଇକେଲ ଚୋରି କରିଥିବା ଅଭିଯୋଗରେ ଅଭିଯୁକ୍ତ କାହ୍ନୁ ନାୟକ ଏବଂ ତାଙ୍କ ସହଯୋଗୀ ଅନୁପ ମୁଣ୍ଡା ଏବଂ ମହମ୍ମଦ ଗୁଲଜାରଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ, ସେମାନେ ବିଶ୍ରା ଥାନା ଅଞ୍ଚଳରୁ ଗୋଟିଏ ଚୋରି ମାମଲା ମଧ୍ୟ କରିଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ମୋଟ ସାତଟି ଚୋରି ବୋଲେରୋ ଗାଡ଼ି ଏବଂ ଚାରିଟି ଚୋରି ମୋଟର ସାଇକେଲ ଉଦ୍ଧାର କରାଯାଇଛି ବୋଲି ସୂଚନା ଦିଆଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ବିଶ୍ରା ଥାନା ଅଧିନସ୍ଥ ରତାଖଣ୍ଡି ଗ୍ରାମର କାହ୍ନୁ ନାୟକ (୩୧), ରଘୁନାଥପାଲ୍ଲୀ ଥାନା ଅଧିନସ୍ଥ ଜଲଦା ଏ ବ୍ଲକର ଅନୁପ ମୁଣ୍ଡା (୨୯) ଏବଂ ବିଶ୍ରା ଥାନା ଅଧିନସ୍ଥ ବିଶ୍ରା ଚେକ୍ ଗେଟ୍ ନିକଟସ୍ଥ ଏମଡି ଗୁଲଜାର (୨୮) । ଆନ୍ତଃରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କାହ୍ନୁ ନାୟକ (୩୧) ନାମରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଥାନାରେ ୪୭ଟି ମାମଲା ରହିଛି । ସେହିପରି ଅନୁପ ମୁଣ୍ଡା (୨୯) ନାମରେ ବିଭିନ୍ନ ଥାନାରେ ୧୦ଟି ମାମଲା ରହିଥିଲା ବେଳେ ଅଭିଯୁକ୍ତ ଏମ୍‌ଡି ଗୁଲଜାର (୨୯) ନାମରେ ୮ଟି ମାମଲା ରହିଛି ବୋଲି ସୂଚନା ଦିଆଯାଇଛି । ୩ ଅଭିଯୁକ୍ତଙ୍କ ନିକଟରୁ ୭ଟି ବୋଲେରୋ ଗାଡ଼ି, ୪ଟି ମୋଟର ସାଇକେଲ, ୩ଟି ମୋବାଇଲ୍ ଫୋନ୍ ଏବଂ ଦୁଇଟି ମାଷ୍ଟର କି (ମାଷ୍ଟର ଚାବି) ମଧ୍ୟ ଜବତ କରାଯାଇଛି ବୋଲି ରାଉରକେଲା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.