କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ ଟାଉନ ଥାନା ପୁଲିସ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି । ତାଙ୍କ ନିକଟରୁ ଲୁଟ ହୋଇଥିବା ମୋବାଇଲ ସମେତ ୪ଟି ଚୋରି ବାଇକ ଜବତ କରାଯାଇଛି । ଗିରଫ ଯୁବକ ହେଲେ ଫୁଲବାଣୀ ସହର କୁମ୍ଭାରପଡାର ରାକେଶ ବେହେରା ଓରଫ ଛୋଟୁ(୨୪) । ଏହି ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଫୁଲବାଣୀ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ କହିଛନ୍ତି । ସୂଚନା ଅନୁସାରେ, ଗତ ଜୁଲାଇ ୨୦ରେ ରାକେଶ ତାଙ୍କ ଦୁଇ ସାଙ୍ଗଙ୍କ ସହ ଫୁଲବାଣୀ ବସଷ୍ଟାଣ୍ଡ ପାଖରେ ମଦ୍ୟପାନ କରିଥିଲେ । ୨୧ ତାରିଖରେ ରାକେଶଙ୍କ ଜନ୍ମଦିନ ଥିଲା । ଟଙ୍କା ଅଭାବରୁ ସେମାନେ ଲୁଟ୍ କରିବା ପାଇଁ ଯୋଜନା କରିଥିଲେ । ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଜଣେ ବାହାର ଲୋକ ବସ୍ ଷ୍ଟାଣ୍ଡର ଦୁଇ ନମ୍ବର ଗେଟ ପାଖରେ ବୁଲାବୁଲି କରୁଥିଲେ । ଏହି ୩ଜଣ ଯାକ ସ୍କୁଟିରେ ଯାଇ ସମ୍ପୃକ୍ତ ଯୁବକଙ୍କୁ ଚାପୁଡ଼ା, ଗୋଇଠା ମାରି ମୋବାଇଲ ଫୋନ ଲୁଟି ନେଇଥିଲେ । ଯୁବକ ଜଣକ ଆସି ଥାନାରେ ଅଭିଯୋଗ କରିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ରାକେଶଙ୍କୁ ଗିରଫ କରିବା ପରେ ତାଙ୍କ ପାଖରୁ ଆଉ ଚୋରି ବାଇକ ସହ ଦୁଇଟି ମୋବାଇଲ ଜବତ କରାଯାଇଛି ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି ।
Next Post