ତିଖାଲୀ ଜଙ୍ଗଲରୁ ୯ଗଣ୍ଡି ଚୋରା ଚାଲାଣ ଶାଗୁଆନ କାଠ ଜବତ : ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ, ଜେଲ ଗଲେ

  • ଜଙ୍ଗଲ ସୁରକ୍ଷା କମିଟି ଧରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଜଙ୍ଗଲ ବିଭାଗ ରେଞ୍ଜ ଅଞ୍ଚଳରୁ ବ୍ୟାପକ ପରିମାଣରେ ମୂଲ୍ୟବାନ ଗଛ ସବୁ ବାରମ୍ବାର ଚୋରା ଚାଲାଣ ହେଉଥିବା ବେଳେ ଜଙ୍ଗଲ ବିଭାଗକୁ ବିଭିନ୍ନ ଗ୍ରାମର ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ସହଯୋଗ କରାଯାଇ ଚୋରା ଚାଲାଣକାରୀଙ୍କୁ ନିଜେ ଧରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ବ୍ୟାପକ ଜଙ୍ଗଲ ସୁରକ୍ଷା କରାଯାଉଥିବା ବେଳେ ଗୁରୁବାର ଜଣେ ଶାଗୁଆନ କାଠ ଚୋରା ଚାଲାଣକାରୀଙ୍କୁ ଧରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି । କର୍ଲାପିଟା, ଦାଢ଼ିଆପଦର ଗ୍ରାମର ଶିବଶଙ୍କର ମାଝୀ(୪୬)ନାମକ ଜଣେ ବ୍ୟକ୍ତି ତିଖାଲି ସଂରକ୍ଷିତ ଜଙ୍ଗଲରୁ ୯ଗଣ୍ଡି ମୂଲ୍ୟବାନ ଶାଗୁଆନ ଗଛ କାଟି ଚୋରା ଚାଲାଣ କରୁଥିଲେ । ଖବର ପାଇ ତେନ୍ତୁଳିଖୁଣ୍ଟି ଜଙ୍ଗଲ ସୁରକ୍ଷା କମିଟି ସଭାପତି କିର୍ତ୍ତନମଣି ଜାନି ଓ ସମ୍ପାଦକ ପୁରନ୍ଦର ମାହାକୁରଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ପହଞ୍ଚି କାଠ ସହ ଚୋରା ଚାଲାଣକାରୀଙ୍କୁ ଅଟକ ରଖି ଜଙ୍ଗଲ ବିଭାଗକୁ ସୂଚନା ଦେଇଥିଲେ । ଜଙ୍ଗଲ ବିଭାଗ କର୍ମଚାରୀମାନେ ପହଞ୍ଚି ମୂଲ୍ୟବାନ ୯ଗଣ୍ଡି ଶାଗୁଆନ କାଠ ଜବତ କରି ଅଭିଯୁକ୍ତ ଶିବଶଙ୍କର ମାଝୀଙ୍କୁ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ । ଏହି ୯ଗଣ୍ଡି ତଥା ୨୨ସେଫଟି ମୂଲ୍ୟବାନ ଶାଗୁଆନ କାଠର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଶୁକ୍ରବାର ଶାଗୁଆନ କାଠ ଚୋରା ଚାଲାଣକାରୀ ଶିବଶଙ୍କର ମାଝୀଙ୍କୁ ଅଧିକ ତଦନ୍ତ ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ମୁରିବାହାଲ ସଦର ଫରେଷ୍ଟର ପୁଷ୍ପାଞ୍ଜଳୀ ଯୋଶୀ ପ୍ରକାଶ କରିଛନ୍ତି । ମୁରିବାହାଲ ରେଞ୍ଜର ନିଲାନ୍ଦ୍ରି ଭୋଇଙ୍କ ନିର୍ଦ୍ଦେଶରେ ଫରେଷ୍ଟ ଗାର୍ଡ ଅଜିତ ବେହେରା, ପାରାଗାର୍ଡ ଲକ୍ଷ୍ମୀଧର କର୍ମୀ, ସୁନୀଲ ତାଣ୍ଡି, ଲକ୍ଷ୍ମୀଧର ତାଣ୍ଡି, ଲିଙ୍ଗେଶ୍ୱର ମହାନନ୍ଦ, କୁବେର ମାଝୀ, ମଧୁ ବାଗ ଓ ଶିବ ନାଗ ପ୍ରମୁଖ ପହଞ୍ଚି ଶାଗୁଆନ କାଠ ଓ ଅଭିଯୁକ୍ତଙ୍କୁ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ । ତେନ୍ତୁଳିଖୁଣ୍ଟି ଜଙ୍ଗଲ ସୁରକ୍ଷା କମିଟି ଓ ଗ୍ରାମବାସୀଙ୍କ ଏହି ପ୍ରୟାସକୁ ସବୁମହଲରେ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.