ବଲାଙ୍ଗିର ବନ ବିଭାଗକୁ ମିଳିଲା ବଡ ସଫଳତା : ଦୁଇ ଦିନରେ ଜିଲ୍ଲାର ଭିନ୍ନ ଭିନ୍ନ ରେଂଜରୁ ଜବତ ହେଲା ମୂଲ୍ୟବାନ କାଠ ସହ ଟ୍ରାକ୍ଟର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ ସଫଳତା । ଦୁଇ ଦିନରେ ଜିଲ୍ଲାର ଭିନ୍ନ ଭିନ୍ନ ରେଂଜରୁ ମୂଲ୍ୟବାନ କାଠ ସହ ଟ୍ରାକ୍ଟର ଜବତ ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଧରାପଡିଛି । ସୂଚନା ଯୋଗ୍ୟ ଯେ, ଗତକାଲି ପାଟଣାଗଡ ରେଂଜ ଅନ୍ତର୍ଗତ ମହାଦାସନୀ ରିଜର୍ଭ ଫରେଷ୍ଟ ଅଂଚଳରେ ପେଟ୍ରୋଲିଂ ସମୟରେ ବନ ବିଭାଗ ପକ୍ଷରୁ ୭ କୁଇଣ୍ଟାଲ ସବୁଜ ମହୁଲ, ସାହାଜ ଜାଲେଣି କାଠ ଏବଂ ଘଟଣାରେ ବ୍ୟବହୃତ ଟ୍ରାକ୍ଟର ଜବତ କରାଯାଇଛି । ଏହି ମାମଲାରେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଅଟକ ରଖିଛି ବନ ବିଭାଗ । ତେବେ ଏହି ଚଢଉରେ ଡେପୁଟି ରେଞ୍ଜର ଦିଲ୍ଲୀପ ପଧାନଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଭାଗବତ ଦାଶ, ଶ୍ୟାମ ସାହୁ ତଥା ଅନ୍ୟ ବନ କର୍ମଚାରୀ ମାନେ ସାମିଲ ଥିବା କୁହାଯାଇଛି । ଅନ୍ୟପଟେ ଆଜି ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ଖମାରମୁଣ୍ଡା ଗ୍ରାମରେ ବଲାଙ୍ଗିର ଡ଼ିଏଫ୍ଓ ନିତିଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସାଲେଭଟା ଫରେଷ୍ଟର ଚିତ୍ତରଞ୍ଜନ ଖମାରୀଙ୍କ ନେତୃତ୍ୱରେ ବଲାଙ୍ଗିର ଫରେଷ୍ଟ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ଚଢ଼ଉ କରାଯାଇ ଘଟଣାସ୍ଥଳରୁ ଶାଗୁଆନ, ଶିଶୁ ଓ ଲିମ୍ବ ସମେତ ବିଭିନ୍ନ ପ୍ରଜାତିର ପ୍ରାୟ ୩୦ଟି ମୂଲ୍ୟବାନ କାଠଗଣ୍ଡି ଜବତ କରାଯାଇଥିବା ବେଳେ ଏହାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।